ସଂସଦର ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳରୁ ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁତଲବି ହୋଇଛି । ହଟ୍ଟଗୋଳରୁ ସଂସଦର ଅଧିବେଶନକୁ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି ବାଚସ୍ପତି । ସଂସଦରେ ନିୟମର ଉଲ୍ଲଂଘନକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ଲୋକସଭା ବାଚସ୍ପତି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ । ଅଧିବେଶନରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ୧୯ଟି ବିଧେୟକ ଓ ୨ଟି ବିତ୍ତୀୟ ଚିଠା ରହିଛି । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟର ସ୍ଥାନ ନେଇପାରେ ନୂତନ ବିଧେୟକ ।

ସେହିପରି ଦେଶର ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ମଧ୍ୟ ବିଲ୍ ଅଟକି ରହିଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ଆଗତ ହୋଇଥିଲା । ପ୍ରଥମ ଦିନରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଉପସ୍ଥାପନ ହେବ । ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚଳିତ ଅଧିବେଶନରେ ବିଜେଡି ପୁଣି ତାର ଦାବିକୁ ଦୋହରାଇବ । ଓଡ଼ିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ବିଲ ଆଗତ ପାଇଁ କେନ୍ଦ୍ର ନିକଟରେ ଦାବି କରିବ ବିଜେଡି । ଦୀର୍ଘ ଦିନର ଦାବି ସତ୍ତ୍ୱେ ଏହା ଏପର୍ଯ୍ୟନ୍ତ କେନ୍ଦ୍ରର ମଞ୍ଜୁରୀ ଲାଭ କରିପାରିନାହିଁ ।

ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ରାଜ୍ୟକୁ ଅଧିକ ଆବାସ ଆବଣ୍ଟନ କରିବା ଏବଂ ରାଜ୍ୟର ଅନେକ ଜାତୀୟ ରାଜପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି କରିବ ବିଜେଡି । ଏହାସହ ଓଡ଼ିଶାର ଜନଜାତି ତାଲିକାରେ ୧୬୯ ପ୍ରସ୍ତାବକୁ ସାମିଲ, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର, ଫସଲ ବୀମା ପ୍ରସଙ୍ଗ, ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଆଦି ପ୍ରସଙ୍ଗ ଉଠାଇବ ବିଜେଡି ।