ସର୍ବଦଳୀୟ ବୈଠକରେ ଉଠିଲା ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ବିଜେଡି ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ଦାବି । ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ଦାବି ଉଠାଇଛନ୍ତି ବିଜେଡି ସାଂସଦ । ବିଜେଡିର ସସ୍ମିତ ପାତ୍ର ଓ ପିନାକୀ ମିଶ୍ର ଏହି ବୈଠକରେ ଯୋଗଦେଇ ଦଳର ଦାବି ଉପସ୍ଥାପନ କରିଛନ୍ତି । ସେପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନକୁ ସୁଚାରୂ ରୂପେ ସମ୍ପାଦନ ଲାଗି ସର୍ବଦଳୀୟ ବୈଠକରେ ହୋଇଛି ଆଲୋଚନା ।

ଆଜିର ଏହି ବୈଠକରେ ଏନଡିଏ ଓ ଇଣ୍ଡିଆ ମେଣ୍ଟର ନେତାମାନେ ସାମିଲ ହୋଇଥିଲେ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭାରେ ଉପନେତା ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଟିଏମସି ନେତା ଡେରେକ ଓ ବ୍ରିଏନ, ଏନସିପି ନେତା ବନ୍ଦନା ଚଭନ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଡିଏମକେ ନେତା ଟି. ଶିବା, ଏମଡିଏମକେ ନେତା ଭାଇକୋ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଓ୍ବାଇଆସିପି ନେତା ଭି. ରେଡୀ, ସମାଜବାଦୀ ପାର୍ଟି ନେତା ଏସଟି ହାସନ ବି ଉପସ୍ଥିତ ଥିଲେ ।