ଆଜି ଲୋକସଭାରେ ଧନ୍ଯବାଦ ପ୍ରସ୍ତାବ ଉପରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ବି ବେଶ୍ ସରଗରମ ରହିବ ସଂସଦ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଉପରେ ଲୋକସଭାରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଗୃହ ସରଗରମ ରହିବାର ସମ୍ଭାବନା ଅଛି । ଗତକାଲି ରାହୁଲ ଗାନ୍ଧି ଉଭୟ ବିଜେପି ଓ ଆରଏସଏସ୍ କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଉଭୟ ଗୃହ ଭିତରେ ଓ ବାହାରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଜି ରାହୁଲ ଗାନ୍ଧିଙ୍କୁ ଏହାର ଜବାବ ଦେଇପାରନ୍ତି ନରେନ୍ଦ୍ର ମୋଦି ।

ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧି କହିଥିଲେ ଯେ, ହିନ୍ଦୁ ଧର୍ମ କେବେ ବି ଲୋକଙ୍କୁ ଭୟଭୀତ କରେନି, ବିଦ୍ବେଷ ସୃଷ୍ଟି କରେନି, ମିଥ୍ଯା କଥା ପ୍ରଚାର କରେ ନାହି । ସବୁ ବେଳେ ସତ୍ଯ ସହିତ ରହିଥାଏ। ଏପରିକି ସେ ଭଗବାନ ଶିବ ଓ ଅନ୍ଯ ଧର୍ମର ଧର୍ମଗୁରୁଙ୍କ ଚିତ୍ର ଦେଖାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ଅନୁମତି ଦେଇନଥିଲେ ବାଚସ୍ପତି। ବିଜେପି ଓ ଆରଏସଏସକୁ ଆକ୍ଷେପ କରି ରାହୁଲ କହିଥିଲେ, ଯେଉଁମାନେ ନିଜକୁ ହିନ୍ଦୁ କହୁଛନ୍ତି ସେମାନେ ଲୋକଙ୍କୁ ଡରାଉଛନ୍ତି, ବିଦ୍ବେଷ ସୃଷ୍ଟି କରୁଛନ୍ତି। ମିଛ କଥା କହୁଛନ୍ତି । ଏହାର ଜବାବରେ ମୋଦି କହିଥିଲେ, ସମସ୍ତ ହିନ୍ଦୁଙ୍କୁ ହିଂସକ କହିବା ଠିକ୍ ନୁହେଁ। ଏହା ଏକ ଗୁରୁତର କଥା। ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ଅମିତ ଶାହା।