ସଂସଦ ସ୍ମୋକ କାଣ୍ଡ, ଶେଷ ମୁହୂର୍ତ୍ତରେ ବଦଳିଥିଲା ପ୍ଲାନ୍

ନୂଆଦିଲ୍ଲୀ: ୧୩ ଡିସେମ୍ବରରେ ସଂସଦ ସୁରକ୍ଷାକୁ ଭେଦ କରି କଲର ସ୍ମୋକ ସ୍ପ୍ରେ କରିଥିବା ଅଭିଯୁକ୍ତଙ୍କ ଖୋଲୁଛି ଗୁମର । ଅଭିଯୁକ୍ତମାନେ କେବଳ ସ୍ମୋକ ସ୍ପ୍ରେ କରିବାକୁ ଯୋଜନା କରି ନଥିଲେ । ତାଙ୍କ ପାଖରେ ଥିଲା ଏକାଧିକ ପ୍ଲାନ୍ । ସ୍ମୋକ୍ ସ୍ପ୍ରେ ସହ ଆଉ ଦୁଇଟି ପ୍ଲାନ ବି କରିଥିଲେ ଅଭିଯୁକ୍ତ । ସ୍ମୋକ ସ୍ପ୍ରେ ପୂର୍ବରୁ ଲୋକସଭାରେ ପଶି ଦେହରେ ନିଆଁ ଲଗାଇବା ଓ ଚିରିକୁଟି ବାଣ୍ଟିବାକୁ ମଧ୍ୟ ପ୍ଲାନ କରିଥିଲେ । ଦିଲ୍ଲୀ ପୋଲିସର ପଚରାଉଚରା ବେଳେ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝା ଏମିତି କିଛି ବୟାନ ଦେଇଛି ।

ପୋଲିସ ଅନୁସାରେ, ପ୍ରଥମେ ଅଭିଯୁକ୍ତମାନେ ସଂସଦ ବାହାରେ ଓ ଭିତରେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ । ଏହା ପୂର୍ବରୁ ସେମାନେ ଶରୀରରେ ନିଆଁରୁ ବର୍ତ୍ତିବା ପାଇଁ ମିଳୁଥିବା ଜେଲ୍ ଲଗାଇବାକୁ ଯୋଜନା କରିଥିଲେ । ହେଲେ ସେମାନଙ୍କୁ ଉକ୍ତ ଜେଲ ମିଳି ନଥିଲା । ଏହାପରେ ସେମାନେ ‘ପ୍ଲାନ ବି’କୁ ଯାଇଥିଲେ ଓ ସଂସଦ ଭିତରେ ପଶି ସ୍ମୋକ ସ୍ପ୍ରେ କରିଥିଲେ ।

ଅଭିଯୁକ୍ତମାନେ କେବଳ ଲୋକଲୋଚନକୁ ଆସିବାକୁ ଏମିତି କରି ନଥିବା ତଦନ୍ତାକରୀ ଟିମ୍ ଦାବି କରିଛି । ଘଟଣା ପରେ ଲଳିତ ନିଜର ଓ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଳକୁ ଜାଳି ଦେଇଥିବା ଦାବି କରିଛି । ଯାହାକୁ ପୋଲିସ ସତ ବୋଲି ଭାବୁନାହିଁ ।

ଲଳିତର ଦାବିକୁ ପୋଲିସ ବିଶ୍ବାସ କରୁନି

ସଂସଦ ଭିତରେ ସ୍ମୋକ ସ୍ପ୍ରେ କରିବା ପରେ ଲଳିତ ସମସ୍ତଙ୍କ ମୋବାଇଲ ଧରି ଫେରାର ହୋଇଯାଇଥିଲା । ଯାହାକୁ ସେ ନଷ୍ଟ କରି ଦେଇଥିବା କହିଛି । ହେଲେ ପୋଲିସକୁ ଲଳିତର ଏହି ଦାବି ଉପରେ ବିଶ୍ବାସ ନାହିଁ । ଏହି ମୋବାଇଲରେ ଯୋଜନାର ବହୁତ ପ୍ରମାଣ ଥିବା ଓ ଅନ୍ୟ ଲୋକଙ୍କ ନମ୍ବର ବି ଥିବ ଯେଉଁମାନେ ଯୋଜନାରେ ସାମିଲ ଥିଲେ । ତଦନ୍ତକୁ ଦିଗହରା କରିବାକୁ ଲଲିତ ଏମିତି କହୁଥିବା ପୋଲିସ ଭାବୁଛି । ତଦନ୍ତକାରୀ ଟିମ ଏମିତି ଚିନ୍ତା କରିବାରର ବି କାରଣ ରହିଛି । କାରଣ ତଦନ୍ତରେ ଲଳିତ ସହଯୋଗ କରୁନାହିଁ ଓ ବାରମ୍ବାର ନିଜର ବୟାନ ବଦଳାଉଛି ।