ସଂସଦର ଉଭୟ ଗୃହ ଆସନ୍ତାକାଲି ଯାଏଁ ମୁଲତବି

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପ୍ରସଙ୍ଗ। ଆସନ୍ତା ୨୮ ଓ ୨୯ରେ ସଂସଦର ଉଭୟ ଗୃହରେ ୧୬ ଘଣ୍ଟା ଧରି ହେବ ସ୍ବତନ୍ତ୍ର ଆଲୋଚନା। ଏଥିରେ ସରକାର ରଖିବେ ବିବୃତି। ଅପରେସନ ସିନ୍ଦୂର ପ୍ରସଙ୍ଗରେ ସରକାରଙ୍କ ଉତ୍ତର ଦାବିରେ ଅଟଳ ରହିଥିଲେ ବିରୋଧୀ। ଆସନ୍ତା ସୋମବାର ଲୋକସଭାରେ ଏହି ପ୍ରସଙ୍ଗ ଆଲୋଚନା ହେବାକୁ ଥିବାବେଳେ ମଙ୍ଗଳବାର ଦିନ ରାଜ୍ୟସଭାରେ ହେବ ଆଲୋଚନା।ଗୁରୁବାରଠାରୁ ହିଁ ଆଲୋଚନା ହେଉ ବୋଲି ବିରୋଧୀ ଦାବି କରୁଥିଲେ ବି ସରକାର ସୋମବାର ଓ ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି। ପହଲଗାଓଁ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭୂମିକା ନିର୍ବାହ କରିଥିଲେ ବୋଲି ଟ୍ରମ୍ପ ଯେଉଁ ଯୁକ୍ତି ଦର୍ଶାଉଛନ୍ତି ତାହାକୁ ବିରୋଧ କରୁଛନ୍ତି ବିରୋଧୀ ଦଳ। କେବଳ ଅପରେସନ ସିନ୍ଦୂର ନୁହଁ, ବିହାର ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରସଙ୍ଗରେ ସରକାର ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି। ଗତ ମେ ୭ରୁ ପାକିସ୍ତାନ ବିରୋଧରେ ଆରମ୍ଭ ହୋଇଥିଲା ଭାରତର ଅପରେସନ ସିନ୍ଦୂର। ସେପଟେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ସଂସଦର ଉଭୟ ଗୃହ ଆସନ୍ତାକାଲି ଯାଏ ହୋଇଛି ମୁଲତବି।