ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ, ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

1 min read

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗରେ କମ୍ପିବ ସଂସଦ । ଆସନ୍ତାକାଲି ଠାରୁ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନରେ ମଣିପୁର, ଦରବୃଦ୍ଧି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ମୌସୁମୀ ଅଧିବେଶନ ଲାଗି ଆଜି ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ସର୍ବଦଳୀୟ ବୈଠକରେ ହୋଇଛି ଆଲୋଚନା ।

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିବାବେଳେ ଅଧିକାଂଶ ଦଳ ଏହି ବୈଠକରେ ଯୋଗଦେଇଥିଲେ । ତେବେ ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ଅଧିବେଶନରେ ମଣିପୁର ପ୍ରସଙ୍ଗ ଆଲୋଚିତ ହେବ ବୋଲି ସରକାର କହିଥିବାବେଳେ ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିବେ ।

ଏହା ସହ ଦରବୃଦ୍ଧି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ପ୍ରସଙ୍ଗରେ ବି ବିରୋଧୀ ନାରାବାଜି କରିବା ସମ୍ଭାବନା ରହିଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି- ବିଭିନ୍ନ ପ୍ରସଙ୍ଗ ଉଠାଇବା ଲାଗି ବିରୋଧୀ ଦଳଙ୍କୁ ସୁଯୋଗ ଦିଆଯାଉ । ଚଳିତ ଅଧିବେଶନରେ ୩୨ଟି ବିଧେୟକ ଆଗତ ହେବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଗତ ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏହି ବୈଠକ ଡାକିଥିଲେ । ମାତ୍ର ଅନେକ ଦଳର ନେତାଙ୍କ ଅନୁପସ୍ଥିତିକୁ ନେଇ ଏହି ବୈଠକ ବାତିଲ ହୋଇଥିଲା । ଆସନ୍ତା ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ସଂସଦର ଅଧିବେଶନ । ଏହି ଅଧିବେଶନ ସଂସଦର ନବନିର୍ମିତ ଭବନରେ ଅନୁଷ୍ଠିତ ହେବ ।