ସରିଗଲା ଲୋକସଭା ଓ ରାଜ୍ୟସଭା ଅଧିବେଶନ

ନୂଆଦିଲ୍ଲୀ: ଆରୋପ, ପ୍ରତ୍ୟାରୋପ, ନାରାବାଜି, ବିକ୍ଷୋଭ ମଧ୍ୟରେ ସରିଗଲା ଲୋକସଭା ଓ ରାଜ୍ୟସଭା ଅଧିବେଶନ । ନଭେମ୍ବର ୨୫ରୁ ଆରମ୍ଭ ହୋଇଥିବା ଅଧିବେଶନରେ ଲୋକସଭାରେ ମୋଟ ୨୦ଟି ସେସନ ବସିଥିବାବେଳେ ରାଜ୍ୟସଭାରେ ମୋଟ ୧୯ଟି ସେସନ ବସିଥିଲା । ୨୬ ଦିନିଆ ଅଧିବେଶନରେ ଲୋକସଭା ଧାର୍ଯ୍ୟ ସମୟ ତୁଳନାରେ ୫୨ପ୍ରତିଶତ କାର୍ଯ୍ୟକ୍ଷମ ହୋଇଥିଲା ।

ସେହିପରି ରାଜ୍ୟସଭାରେ କାର୍ଯ୍ୟକ୍ଷମ ପରିମାଣ ଥିଲା ୩୯ ପ୍ରତିଶତ । ପ୍ରଥମ ସପ୍ତାହରେ ଧାର୍ଯ୍ୟ ସମୟ ସୀମାର ମାତ୍ର ୧୦ ପ୍ରତିଶତ ସମୟ ସୁରୁଖୁରୁରେ ଚାଲିଥିଲା । ଏହି ଅଧିବେଶନ କାଳରେ ଭାରତୀୟ ବାୟୁଯାନ ବିଧେୟକ ସମେତ ୨ଟି ବିଲ୍ ଗୃହୀତ ହୋଇଥିଲା । ବିମାନ ଆଇନ ୧୯୩୪କୁ ହଟାଇ ଏହି ବିଲ୍ ପାସ୍ ହୋଇଥିଲା । ସେହିପରି ଆପ୍ରୋପ୍ରିଏସନ ବିଲ୍ ବି ସଂସଦର ଉଭୟ ଗୃହରେ ପାସ୍ ହୋଇଥିଲା। ଶୀତକାଳୀନ ଅଧିବେଶନରେ ଓ୍ବାନ ନେସନ ଓ୍ବାନ ଇଲେକ୍ସନ ବିଲ୍, କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍, ମର୍ଚ୍ଚାଣ୍ଟ ସିପିଙ୍ଗ୍ ବିଲ୍, ଉପକୂଳ ଜାହାଜ ଚଳାଚଳ ବିଲ୍ ଆଦି ୫ଟି ବିଲ୍ ଲୋକସଭାରେ ଆଗତ ହୋଇଥିଲା । ପୂର୍ବ ଅଧିବେଶନରେ ଆଗତ ହୋଇଥିବା ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ, ରେଳବାଇ ସଂଶୋଧନ ବିଲ୍, ବିପର୍ଯ୍ୟୟ ପରିଚାଳନା ବିଲ ଲୋକସଭାରେ ଗୃହୀତ ହୋଇଥିଲା । ଏହି ଅଧିବେଶନରେ ୩୩ଟି ବିଲ୍ ଆଗତ ନ ହୋଇ ପଡିରହିଥିଲା । ରାଜ୍ଯସଭାରେ ୧୯ଦିନ ମଧ୍ୟରୁ ୧୫ଦିନ କାର୍ଯ୍ୟକ୍ଷମ ହୋଇ ନଥିଲା ପ୍ରଶ୍ନକାଳ । ଶୀତ ଅଧିବେଶନର ବିଶେଷତ୍ୱ ଏହା ଥିଲା ଯେ ଏଥିରେ ଆଗତ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ଏକ ଦେଶ ଏକ ନିର୍ବାଚନ ବିଲ୍ ।