ଲୋକସଭାରେ ହଙ୍ଗାମା ବେଳେ କ’ଣ କରୁଥିଲେ ରାହୁଲ ?

ନୂଆଦିଲ୍ଲୀ: ସଂସଦ ଅଧିବେଶନ ବେଳେ ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଦୁଇ ଜଣ ଡେଇଁଥିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଗୁରୁତର ତୃଟିକୁ ନେଇ ଆରମ୍ଭ ହୋଇଛି ସମାଲୋଚନା । ଦୁଇଜଣ ସଂସଦ ଭିତରେ ଏଭଳି କାଣ୍ଡ ଭିଆଇଥିବାବେଳେ ସେଠାରେ ଉପସ୍ଥିତ ଥିବା ସାଂସଦମାନେ ବେଶ ଭୟଭୀତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । କିଛି ସାଂସଦ ସେମାନଙ୍କୁ କାବୁ କରିବା ପାଇଁ ପ୍ରୟାସ କରିଥିଲେ । ତେବେ ଏହି ସମୟରେ କ’ଣ କରୁଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ? ଯାହାକି ଏବେ ସବୁଠି ଚର୍ଚ୍ଚା ହେଉଥିବାବେଳେ ଏହି ସମୟର ଏକ ଭିଡିଓ ସାମନାକୁ ଆସିଛି । ରାହୁଲ ଗାନ୍ଧୀ ନିଜ ସିଟରୁ ଛିଡ଼ା ହୋଇ ପଡ଼ିଥିଲେ । ସେ ଉଭୟଙ୍କୁ ଚାହିଁ ରହିଥିବାବେଳେ ଟିକେ ମାତ୍ର ହଲି ନଥିଲେ ।

ସୂଚନା ଥାଉକି, ସଂସଦ ଅଧିବେଶନ ଚାଲିଥିବାବେଳେ ସୁରକ୍ଷାରେ ଗୁରୁତର ତ୍ରୁଟି । ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଲେ  ଦୁଇ ବ୍ୟକ୍ତି । ସଂସଦ ଆକ୍ରମଣର 22ତମ ବାର୍ଷିକୀରେ ଅଘଟଣ ଘଟିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିରଲା ।  ଅପରାହ୍ଣ ୧.୦୨ରେ ଭିଜିଟର୍ସ ଗ୍ୟାଲେରୀରୁ ପ୍ରଥମେ ଜଣେ ଯୁବକ ଡେଇଁବା ସହ ଚାମ୍ବର ଆଡକୁ ଦୌଡ଼ିଥିଲେ । ଦ୍ବିତୀୟ ବ୍ୟକ୍ତିଜଣକ ଗ୍ୟାଲେରୀ ଭିତରେ ରହିଥିଲେ । ଉଭୟେ ଗୃହ ଭିତରେ ହଳଦିଆ ଗ୍ୟାସ ପ୍ରୟୋଗ କରିଥିଲେ । ଘଟଣାରେ ସଂସଦ ଭିତରୁ ୨ ଜଣ ଓ ସଂସଦ ବାହାରେ ୨ ଜଣଙ୍କୁ ଗିରଫ ରଖାଯାଇଛି ।

ଭିତରେ ହଙ୍ଗାମା କରିଥିବା  ଦୁଇଜଣ ବ୍ୟକ୍ତି ହେଲେ ୪୨ ବର୍ଷ ବୟସ୍କ ନୀଲମ ଓ ୨୫ ବର୍ଷ ଅନମୋଲ ସିନ୍ଧୁ । ଏହି କାଣ୍ଡ ଘଟାଉଥିବାବେଳେ ସେମାନେ ତାନାଶାହୀ ନେହିଁ ଚଲେଗା ନାରା ଦେଇଥିଲେ । ସେପଟେ ଲୋକସଭାରେ ଭିଜିଟର୍ସ ପାସ ଉପରେ ବ୍ୟାନ ଲଗାଇଛନ୍ତି ବାଚସ୍ପତି । କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି ୨୦ ବର୍ଷ ବୟସ୍କ ଦୁଇଜଣ ଯୁବକ ଭିଜିଟର୍ସ ଗ୍ୟାଲେରିରୁ ଡେଇଁଥିଲେ । ଭିଜିଟର୍ସ ଗ୍ୟାଲେରିରୁ ଜଣେ ଯୁବକ ଲମ୍ଫ ପ୍ରଦାନ କରୁଥିବା ସମୟରେ ବିଜେପି ସାଂସଦ ଖାର୍ଗେନ ମୁର୍ମୁ ଭାଷଣ ଦେଉଥିଲେ । ସୁରକ୍ଷା ତ୍ରୁଟି ନେଇ ମନ୍ତ୍ରୀଙ୍କ ଉତ୍ତର ଦାବି କଲେ ସାଂସଦ । ବ୍ୟବହାର କରାଯାଇଥିବା ଗ୍ୟାସ ବିଷାକ୍ତ ନଥିବା ସୂଚନା । ଦିଲ୍ଲୀ ପୋଲିସକୁ ଏହି ବିଷୟରେ କରାଯାଇଛି ଅବଗତ । ଗୁରୁତର ନିରାପତ୍ତା ତ୍ରୁଟି କହିଲେ ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ । ସର୍ବଦଳୀୟ ବୈଠକ ଆହ୍ବାନ କଲେ ବାଚସ୍ପତି ।