ନିଲମ୍ୱନ ଆଦେଶକୁ ନେଇ ସଂସଦ ଅଚଳ: ଅପରାହ୍ଣ ୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା

ନୂଆଦିଲ୍ଲୀ: ୧୨ ସାଂସଦଙ୍କ ଉପରେ ଜାରି ସସପେଣ୍ଡ ଆଦେଶ ପ୍ରତ୍ୟାହାର ହେବ ନାହିଁ । ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କୟାନାଇଡୁ ଏହା କହିବା ପରେ ସଂସଦରେ ଜାରି ହୋଇଛି ଅଚଳାବସ୍ଥା । ଅପରାହ୍ଣ ୨ଟା ଯାଏଁ ଲୋକସଭା ମୁଲତବି ଘୋଷଣା କରାଯାଇଛି । ସେପଟେ ନିଲମ୍ବିତ ସାଂସଦମାନଙ୍କ ଉପରୁ ଏହି ଆଦେଶ ପ୍ରତ୍ୟାହାର ହେଉ ବୋଲି ଦାବି କରିଛନ୍ତି ରାଜ୍ୟସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ ଦାବି କରିଛନ୍ତି । ତେଣେ ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ବି ହଟ୍ଟଗୋଳ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ଆଜି ୧୬ଟି ବିରୋଧୀଦଳର ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ । ତେବେ ସେମାନଙ୍କ ମଧ୍ୟରେ କୌଣସି ତୃଣମୂଳ ସାଂସଦ ସାମିଲ ନଥିଲେ ।

ସଂସଦୀୟ ଆଇନ ଅନୁସାରେ ଏହି ସାଂସଦମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଉ ବୋଲି ସେମାନେ ଦାବି କରିଥିଲେ । ଯଦି ଏହି ସସପେଣ୍ଡ ଆଦେଶ ପ୍ରତ୍ୟାହାର ନହୁଏ ତେବେ ଆଜି ରାଜ୍ୟସଭା ଅଧିବେଶନକୁ ବର୍ଜନ କରାଯିବ ବୋଲି ସେମାନେ କହିଛନ୍ତି । ଏହି ୧୬ଟି ଦଳ ମଧ୍ୟରେ ଅଛନ୍ତି କଂଗ୍ରେସ, ଡିଏମକେ, ଏମଡିଏମକେ, ଶିବସେନା, ଏନସିପି, ସିପିଆଇ, ସିପିଏମ, ଆରଜେଡି, ମୁସଲିମ ଲିଗ,ନ୍ୟାସନାଲ କନଫରେନ୍ସ, ଟିଆରଏସ, ଆରଏସପି, କେରଳ କଂଗ୍ରେସ, ଆପ୍ ଓ ଭିସିକେ ।

ସସପେଣ୍ଡ ହୋଇଥିବା ସାଂସଦମାନେ ହେଲେ ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ, ଅରୁଣ ଦେଶାଇ, ଟିଏମସିର ଡୋଳା ସେନ, ଶାନ୍ତା ଛେତ୍ରୀ, ସିପିଏମର ଏଲାମରାମ କରିମ ଓ କଂଗ୍ରେସର ୬ ସାଂସଦ । ଗତ ଅଗଷ୍ଟରେ ଅଧିବେଶନ କାଳରେ ପେଗାସସ ମାମଲାରେ ହଟ୍ଟଗୋଳ ନେଇ ଉକ୍ତ ୧୨ ସାଂସଦ ହୋଇଥିଲେ ସସପେଣ୍ଡ । ତେବେ ଏମଏସପି ଆଇନ, ମୃତଚାଷୀଙ୍କ ପରିବାରକୁ କ୍ଷତିପୂରଣ, ପେଗାସସ, ଦରବୃଦ୍ଧି, ବେକାରୀ, ମହିଳା ସଂରକ୍ଷଣ, ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ବିରୋଧୀ ।

Leave a Reply