ପ୍ୟାରିସ ଅଲମ୍ପିକ୍ସ ଉଦଘାଟନୀ ସମାରୋହ, ଏହି ଦେଶର ଖେଳାଳୀଙ୍କୁ ପ୍ୟାରେଡରେ ସାମିଲ ହେବାକୁ ମିଳିଲାନାହିଁ ଅନୁମତି

ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସର ୩୫ତମ ସଂସ୍କରଣ। ଫ୍ରାନ୍ସ ରାଷ୍ଟ୍ରପତି ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ଷ୍ଟାଡିୟମ ବାହାରେ ଆୟୋଜନ ହୋଇଛି ଉଦଘାଟନୀ ଉତ୍ସବ। ସେନ୍ ନଦୀରେ ଆଖି ଝଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମରେ ନିଆରା ଅନ୍ଦାଜରେ ଡଙ୍ଗାରେ ଆସିଥିଲେ ବିଭିନ୍ନ ଦେଶର କ୍ରୀଡ଼ାବିତ୍। ୨୦୬ ଟି ଦେଶର ୬୫୦୦ରୁ ଅଧିକ କ୍ରୀଡାବିତ୍୯୪ଟି ଡଙ୍ଗାରେ ୪ କିଲୋମିଟର ପର୍ଯ୍ୟନ୍ତ ଲମ୍ୱା ପ୍ୟାରେଡ୍ ଅଫ୍ ନେସନ୍ସରେ ଭାଗ ନେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କିଛି ଖେଳାଳିଙ୍କୁ ପ୍ୟାରେଡରେ ସାମିଲ ହେବାକୁ ଅନୁମତି ମିଳିନଥିଲା ।
ରିପୋର୍ଟ ଅନୁଯାୟୀ, ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ନାଇଜେରିଆର ମହିଳା ବାସ୍କେଟବଲ୍ ଦଳକୁ ଡଙ୍ଗାରେ ଯିବାକୁ ଅନୁମତି ଦିଆଯାଇ ନଥିଲା। ଖବର ଅନୁଯାୟୀ, ନାଇଜେରିଆର ମହିଳା ବାସ୍କେଟବଲ ଦଳକୁ ନାଇଜେରିଆ ଅଧିକାରୀମାନେ ଡଙ୍ଗାରେ ଚଢିବାକୁ ବାରଣ କରିଥିଲେ। ଏହା ପଛର କାରଣ ମଧ୍ୟ ସାମ୍ନାକୁ ଆସିଛି। ବାସ୍ତବରେ, ଡଙ୍ଗାରେ ବହୁତ ଖେଳାଳି ଥିବାରୁ ନାଇଜେରିଆର ମହିଳା ବାସ୍କେଟବଲ୍ ଦଳ ଏବଂ ସେମାନଙ୍କ କୋଟଙ୍କୁ ଡଙ୍ଗାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା । ଏହା ପରେ ଦଳକୁ ଆଥଲେଟ୍ସ ଗାଁକୁ ଫେରିବାକୁ ପଡିଲା | ତେବେ ଏହି ପ୍ରସଙ୍ଗରେ ନାଇଜେରିଆ ପ୍ରତିନିଧି ଦଳ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ।।
ସୂଚନା ଅନୁଯାୟୀ, କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ପ୍ୟାରିସ ଅଲମ୍ପିକ୍ସ ଉଦଘାଟନୀ ସମାରୋହ ସ୍ମରଣୀୟ ହୋଇ ରହିବ । ନୃତ୍ୟ, ସଙ୍ଗୀତ, କଳାକାରଙ୍କ କୋଳାହଳ ଓ ହଜାର ହଜାର ପ୍ରଶଂସକ ଉପସ୍ଥିତି ଏହି ଉଦଘାଟନୀ ଉତ୍ସବକୁ ବେଶ ସ୍ମରଣୀୟ କରିଥିଲା। ପ୍ରାୟ ୩ଘଣ୍ଟା ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରାସୀ ବିପ୍ଲବ, ଐତିହ୍ୟ ପରମ୍ପରା, ଭାସ୍କର୍ଯ୍ୟ ଓ କାରୁ କାରୁକାର୍ଯ୍ୟର ସଙ୍ଗମ ଦେଖିବାକୁ ମିଳିଛି। ଆଜି ହକିରୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତୀୟ ହକି ଦଳ ନିଜର ପ୍ରଥମ ମ୍ୟାଚ୍ ଖେଳିବ।