ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪, ଅଲିମ୍ପିକ୍ସରେ ଭାରତକୁ ବ୍ରୋଞ୍ଜ୍ ପଦକ

1 min read

ପ୍ୟାରିସ : ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଁ ସ୍ପେନ ଓ ଭାରତ ମଧ୍ୟରେ ଚାଲିଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ବ୍ରୋଞ୍ଜ୍ ପଦକ ଉପରେ ନିଜ ଦାବିଦାରୀ ସାବ୍ୟସ୍ତ କରିଛି । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରିଛି । ଲଗାତର ଭାବେ ଅଲିମ୍ପିକ୍ସରେ ଏହା ହେଉଛି ଭାରତୀୟ ହକି ଟିମର ଦ୍ୱିତୀୟ ପଦକ ।

ହରମନପ୍ରିତଙ୍କ ଦୁଇଟି ଗୋଲ୍ ଓ ଗୋଲ କିପର ଶ୍ରୀଜେଶଙ୍କ ୨ଟି ଗୋଲ ରକ୍ଷା ଭାରତକୁ ବ୍ରୋଞ୍ଜ ପଦକ ଦେଇଛି । ପ୍ୟାରିସ ଅଲିମ୍ପିକ୍ସରେ ହରମନପ୍ରିତଙ୍କ ଯାଦୁ ଦେଖିବାକୁ ମିଳିଥିଲା । କେବଳ ଗୋଟିଏ ମ୍ୟାଚକୁ ଛାଡି଼ ସେ ବାକି ମ୍ୟାଚରେ ଗୋଲ କରିଛନ୍ତି । ସେ ସମୁଦାୟ ୯ଟି ଗୋଲ କରିଛନ୍ତି ।

ଆଜିର ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ

ପ୍ରଥମ କ୍ୱାର୍ଟରରେ ହୋଇ ନଥିଲା ଗୋଲ୍ । ଭାରତ ଓ ସ୍ପେନ ମଧ୍ୟରେ ମ୍ୟାଚର ପ୍ରଥମ କ୍ୱାର୍ଟରରେ ଜୋରଦାର ଟକ୍କର ହୋଇଥିଲା । ପ୍ରଥମ କ୍ୱାର୍ଟରରେ କୌଣସି ଦଳ ଗୋଲ କରିପାରି ନଥିଲେ । ପ୍ରଥମ କ୍ୱାର୍ଟର ୦-୦ରେ ଶେଷ ହୋଇଥିଲା ।

ପେନାଲ୍ଟି କର୍ଣ୍ଣରରେ ସ୍ପେନ ମାରିଲା ପ୍ରଥମ ଗୋଲ

ସ୍ପେନ୍ ମ୍ୟାଚର ପ୍ରଥମ ଗୋଲ କରିଥିଲା । ଦ୍ୱିତୀୟ କ୍ୱାର୍ଟରର ୧୨ ମିନିଟରେ ପେନାଲ୍ଟି ଷ୍ଟ୍ରୋକରେ ସ୍ପେନ୍ ପ୍ରଥମ ଗୋଲ ଦେଇଥିଲା । ସ୍ପେନ୍ ପକ୍ଷରୁ ମାର୍କୋ ମିରାଲେସ୍ ପ୍ରଥମ ଗୋଲ କରିଥିଲେ । ଅନ୍ୟପକ୍ଷରେ ଦ୍ୱିତୀୟ କ୍ୱାର୍ଟରର ଅନ୍ତିମ ମିନିଟର ଗୋଲ କରି ଭାରତ ସ୍କୋର ସମାନ କରିଥିଲା । କ୍ୟାପଟେନ ହରମନପ୍ରିତ ପେନାଲ୍ଟି କର୍ଣ୍ଣରରେ ଗୋଲ କରି ସ୍କୋରକୁ ସମାନ କରିଥିଲେ ।

ତୃତୀୟ କ୍ୱାର୍ଟରେ ଭାରତ ୨-୧ରେ ଆଗୁଆ

ଭାରତ ତୃତୀୟ କ୍ୱାର୍ଟରର ଆରମ୍ଭରେ ଗୋଲ କରି ମ୍ୟାଚରେ ଆଗକୁ ଯାଇଥିଲା । ଏହି ଗୋଲ ମଧ୍ୟ ପେନାଲ୍ଟି କର୍ଣ୍ଣର ଜରିଆରେ ଭାରତ ସ୍କୋର କରିଥିଲା । ଭାରତ ତୃତୀୟ କ୍ୱାର୍ଟରର ୩୩ ମିନିଟରେ ଦ୍ୱିତୀୟ ଗୋଲ କରି ସ୍ପେନକୁ ପଛରେ ଛାଡ଼ିଥିଲା ।