ମହାପ୍ରଭୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭକ୍ତି ଓ ଅଟଳ ନିଷ୍ପତ୍ତିର ବାସ୍ତବ ରୂପ ହେଉଛି ପରିକ୍ରମା ପ୍ରକଳ୍ପ

1 min read

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଶାବାସୀଙ୍କର ରହିଛି ଅକୁଣ୍ଠ ଭଲ ପାଇବା ଓ ବିଶ୍ବାସ । ସରକାର ପ୍ରତି ଯେତେ ବିପଦ ଆସିଲେ ମଧ୍ୟ ତାକୁ ସାମ୍ନା କରି ମହାପ୍ରଭୁଙ୍କ କାମ କରିବି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆଗେଇ ନେବାକୁ କହିଥିଲେ । ତାଙ୍କ ଅଟଳ ନିଷ୍ପତ୍ତି ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତି ଯୋଗୁଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାସ୍ତବ ରୂପ ନେଇଛି । ଏହା ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅକୁହା କାହାଣୀକୁ ଲୋକଙ୍କ ପାଖରେ ରଖିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କାଲିଠାରୁ ଫେବ୍ରୁଆରୀ ୨୦ ପର୍ଯ୍ୟନ୍ତ ପ୍ରତି ନିର୍ବାଚନୀମଣ୍ଡଳୀରୁ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ବୁଲିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।

5T ଅଧ୍ୟକ୍ଷ କହିଛନ୍ତି, ‘ଶ୍ରୀମନ୍ଦିର ରୂପାନ୍ତରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ୍ । କିନ୍ତୁ ସେ କହିଥିଲେ, ଶ୍ରୀକ୍ଷେତ୍ରର ବିକାଶ ନକଲେ ଇତିହାସ କ୍ଷମା ଦେବନି । ଓଡ଼ିଶାବାସୀ ମୋତେ ୫ ଥର ମୁଖ୍ୟମନ୍ତ୍ରୀ କରିଛନ୍ତି । ବିଶ୍ବାସ ଓ ସହ ଅକୁଣ୍ଠ ଭଲ ପାଇବା ଦେଇଛନ୍ତି । ସରକାର ପଛେ ଯାଉ, ପରିକ୍ରମା ପ୍ରକଳ୍ପ ହେଉ ।’

ପ୍ରକଳ୍ପ ଚ୍ୟାଲେଞ୍ଜର ଅକୁହା କଥା ବଖାଣିଛନ୍ତି 5T ଅଧ୍ୟକ୍ଷ । କହିଛନ୍ତି, ‘ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତି ଭାବ ପରିକ୍ରମା ପ୍ରକଳ୍ପକୁ ଦେଇଛି ବାସ୍ତବ ରୂପ । ସବୁଠି ନବୀନଙ୍କ ପ୍ରଶଂସା । କାଲିଠୁ ନିର୍ବାଚନୀମଣ୍ଡଳୀରୁ ପୁରୀ ଆସିବେ ଭକ୍ତ । ୭ ଶହ ବର୍ଷ ପରେ ଶ୍ରୀମନ୍ଦିରର ହୋଇଛି ରୂପାନ୍ତରଣ । ନିଆଁରେ ଖେଳିବା ଭଳି ଥିଲା ଶ୍ରୀମନ୍ଦିର ରୂପାନ୍ତରଣ ଚ୍ୟାଲେଞ୍ଜ । ହେଲେ ଦୃଢ଼ମନା ଥିଲେ ମୁଖ୍ୟମନ୍ତ୍ରୀ । ନିଜ ରାଜନୈତିକ ଭବିଷ୍ୟତକୁ ଖାତିର ନକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ହାତକୁ ନେଇଥିଲେ । ରୂପରେଖ ପ୍ରସ୍ତୁତ ସମୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ସତର୍କତାମୂଳକ ପରାମର୍ଶ ଦେଇଥିଲେ । ସାମାନ୍ୟତମ ଭୁଲ୍‌ ପାଇଁ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ସହ ସରକାର ଭାଙ୍ଗିଯିବାର ଆଶଙ୍କା ଅଛି ବୋଲି କହିଥିଲେ । ନବୀନ କିନ୍ତୁ ଏପରି କଥାକୁ ଭୃକ୍ଷେପ କରି ନଥିଲେ । ସିଧା କହିଥିଲେ, ସରକାର ପଛେ ଯାଉ, ମହାପ୍ରଭୁଙ୍କ କାମ ହେଉ ।’

ପରିକ୍ରମା ପ୍ରକଳ୍ପ ଆରମ୍ଭରୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ରାଜ୍ୟ ସରକାର । ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଲୋକଙ୍କ ଘର ଓ ପୁରୁଣା ମଠ ଉଚ୍ଛେଦ ବଡ଼ ନିଆଁ ପରି ଚ୍ୟାଲେଞ୍ଜ ଥିଲା । ବିରୋଧୀ ଓ କିଛି କୁଚକ୍ରୀ ଗୋଷ୍ଠୀ ଏଥିରେ କେଁ ପୂରାଇ କାମ ଅଟାଇବକୁ ଚେଷ୍ଟା କରିଥିଲେ । ରାଜନୀତି ବି କିଛି କମ୍‌ ନଥିଲା । କିନ୍ତୁ ଏସବୁକୁ ଭୃକ୍ଷେପ ନକରି ମହାପ୍ରଭୁଙ୍କ ଆଶୀର୍ବାଦ ଓ ପୁରୀବାସୀଙ୍କ ତ୍ୟାଗ ଯୋଗୁଁ ପରିକ୍ରମା ପ୍ରକଳ୍ପ ବାସ୍ତବ ରୂପ ନେଇଛି  । ଅନେକ ସମୟରେ ବହୁ ବଡ଼ବଡ଼ ରାଜା ଓ ବ୍ରିଟିଶ ଅମଳର ଜିଲ୍ଲାପାଳମାନେ ବି ଶ୍ରୀମନ୍ଦିର ରୂପାନ୍ତରଣ ପାଇଁ ଉଦ୍ୟମ କରିଥିଲେ । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ମଧ୍ୟ ଚିନ୍ତା କରିଥିଲେ । କିନ୍ତୁ ଶ୍ରୀମନ୍ଦିର ରୂପାନ୍ତରଣ କାମ ଯିଏ ବି ଆରମ୍ଭ କରିଥିଲେ, ସେମାନେ ୧୫ ଦିନରୁ ମାସେ ମଧ୍ୟରେ ଓହରି ଯାଇଥିଲେ ।