ପରିକ୍ରମା ଲୋକାର୍ପଣ, ଆଜିଠୁ ପ୍ରକ୍ରିୟା ଆରମ୍ଭ

ପୁରୀ: ଆଜିଠୁ ଆରମ୍ଭ ହେଉଛି ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ପ୍ରକ୍ରିୟା । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାରା ରାଜ୍ୟରୁ ଆସୁଛି ଅର୍ପଣ । ଗାଁରୁ ଗାଁ ବୁଲି ଘରୁ ଘରୁ ଭକ୍ତଙ୍କ ଅର୍ଘ୍ୟ ସଂଗ୍ରହ କରୁଛି ଜଗନ୍ନାଥ ରଥ । ଗାଁରୁ ସହର, ସାରା ରାଜ୍ୟରେ ଏବେ ଭକ୍ତିମୟ ପରିବେଶ । ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ । ଦୁଆର ମୁହଁରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଦେଇ ଜଗନ୍ନାଥ ରଥକୁ ବନ୍ଦାପନା କରି ସ୍ବାଗତ କରୁଛନ୍ତି ରାଜ୍ୟବାସୀ ।

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ । ଏଥିପାଇଁ ଆଜି କରାଯିବ ଅଙ୍କୁରାରୋପଣ । ଗଜପତି ମହାରାଜା ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିବେ । ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଅଙ୍କୁରାରୋପଣ କରାଯିବ । ୧୩ ତାରିଖ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ ହେବ । ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ । ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ ୩ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ । ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ । ୧୭ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ ।

ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଓ ସାଉଣ୍ଡ ଶୋ’ର ବ୍ୟବସ୍ଥା କରାଯାଇଛି ।

ଏପଟେ ପୁରୀରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅତିଥି କିଭଳି ସୁନ୍ଦର ଅନୁଭୂତି ନେଇ ଫେରିବେ ସେଥିପ୍ରତି ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି । ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ଓ କଟକରୁ ଅଧିକ ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ରହିଛି । ସମସ୍ତ ଭିଆଇପି ଓ ନିମନ୍ତ୍ରିତ ଅତିଥି ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ଶ୍ରୀମାର୍ଗ ଦେଇ ଯଜ୍ଞ ସ୍ଥଳ ଓ ବସିବା ସ୍ଥାନକୁ ଆସିବେ । ବାଟରେ ଯୋଡ଼ି ଶଙ୍ଖ, ଲଉଡି ଖେଳ ପ୍ରଦର୍ଶନ କରାଯାଇ ଅତିଥିଙ୍କୁ ସ୍ବାଗତ କରାଯିବ । ପରିକ୍ରମା ମାର୍ଗର ଲ୍ୟାଣ୍ଡସ୍କେପ୍ ଓ ବଫର ଜୋନ କାର୍ଯ୍ୟ ଶେଷ ହୋଇଛି ।

ଅଗ୍ନିଶମ ବିଭାଗ ଓ ପୁରୀ ପୌରପାଳିକା ପକ୍ଷରୁ ପାଣି ସିଞ୍ଚନ କରି ପରିକ୍ରମା ମାର୍ଗ ସଫେଇ କରାଯାଉଛି । ନିମନ୍ତ୍ରିତ ଅତିଥିଙ୍କ ରହଣି, ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରାୟ ୯୦୦ ଅତିଥିଙ୍କ ବସିବା ପାଇଁ ୩ଟି ଜୋନ କରାଯାଇଛି । ନେପାଳ ରାଜାଙ୍କ ସହ ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟଙ୍କୁ ଦୁଇ ଥର ନିମନ୍ତ୍ରଣ କରାଯାଇଛି । ଏମାର ମଠ ଓ ମା’ କାକୁଡିଖାଇଙ୍କ ମନ୍ଦିର ମଧ୍ୟସ୍ଥଳରେ ହେବ ଲେଜର ଶୋ’ । ସେହିପରି ମାର୍କେଟ ଛକ ମାର୍କେଟ କମ୍ପ୍ଲେକ୍ସ ଓ ବ୍ରିଟିଶ ଅମଳର ପାଣିଟାଙ୍କିରେ କାଞ୍ଚି ଅଭିଯାନ ଲେଜର ଶୋ’ କରାଯିବ । ଏହାସହ ପରିକ୍ରମା ମାର୍ଗର ଛୋଟ ଛୋଟ ମଣ୍ଡପ ସମ୍ମୁଖରେ ସଙ୍କୀର୍ତ୍ତନ ସହ ଓଡ଼ିଶୀ, ମାହାରୀ, ସମ୍ବଲପୁରୀ, ପାଇକ, ବନାଟି ଆଦି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।