ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପ୍ରମୁଖ ଦେବାଦେବୀଙ୍କ ପୀଠକୁ ଯାଉଛି ନିମନ୍ତ୍ରଣ ପତ୍ର

ପୁରୀ: ରାଜ୍ୟ, ଦେଶ ଓ ବିଦେଶକୁ ଯାଉଛି ନିମନ୍ତ୍ରଣ। ପବିତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବାରେ ଲାଗିଛି ନିମନ୍ତ୍ରଣ । ଦେଶର ପ୍ରମୁଖ ଦେବାଦେବୀଙ୍କ ପୀଠ ସହ ରାଜ୍ୟର ଏକାଧିକ ପୀଠରେ ନିମନ୍ତ୍ରଣ ପ୍ରଦାନ କରାଯାଇଛି ।
ଶ୍ରୀକ୍ଷେତ୍ରରୁ ଦ୍ବାରକା, ଭୁବନେଶ୍ବରରୁ ବୃନ୍ଦାବନ । ସାରା ଦେଶ ହେଲାଣି ଜଗନ୍ନାଥମୟ । ପ୍ରତି ଦେବପୀଠରେ ପହଞ୍ଚୁଛି ବିଶ୍ବନିୟନ୍ତାଙ୍କ ନିମନ୍ତ୍ରଣ । ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏହି ଦିବ୍ୟ ଦିବସରେ ଯୋଗଦାନ ନିମନ୍ତେ ଦେଶର ପ୍ରମୁଖ ପୀଠରେ ପହଞ୍ଚି ନିମନ୍ତ୍ରଣ ପ୍ରଦାନ କରୁଛନ୍ତି ୧୭ଟି ସ୍ବତନ୍ତ୍ର ଦଳ। ମହାରାଷ୍ଟ୍ର ତ୍ରୟମ୍ବକେଶ୍ବର ଜ୍ୟେର୍ତିଲିଙ୍ଗ, ମଧ୍ୟପ୍ରଦେଶର ମହାକାଳେଶ୍ବର ଜ୍ୟୋର୍ତିଲିଙ୍ଗ, ତାମିଲନାଡ଼ୁର ଶ୍ରୀରଙ୍ଗନାଥସ୍ବାମୀ ମନ୍ଦିର, ବନାରସଠାରେ କାଶିବିଶ୍ବନାଥ, ସୀମାଞ୍ଚଳମ ଠାରେ ଶ୍ରୀ ବରାହଲକ୍ଷ୍ମୀ ନରସିଂହସ୍ବାମୀ ଦେବସ୍ଥାନମ୍ , ଦ୍ବାରିକାଧୀଶ ମନ୍ଦିର, ବୃନ୍ଦାବନର ଶ୍ରୀ ବାଙ୍କେବିହାରୀ ମନ୍ଦିର, ବିଶାଖାପଟନମର ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ସେହିପରି ନୂଆ ଦିଲ୍ଲୀରେ ହଜଖୋସ ଜଗନ୍ନାଥ ମନ୍ଦିରକୁ ମଧ୍ୟ ପରିକ୍ରମା ନିମନ୍ତ୍ରଣ ପ୍ରଦାନ କରାଯାଇଛି। ସେବାୟତ ଓ ଶ୍ରୀମନ୍ଦିର ପ୍ରତିନିଧିଙ୍କୁ ସବୁଠି ଭବ୍ୟ ସ୍ବାଗତ କରାଯିବା ସହ ଅନନ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି।
ଏପଟେ ରାଜ୍ୟରେ ପ୍ରମୁଖ ଦେବପୀଠ ଓ ଜଗନ୍ନାଥ ମନ୍ଦିରରେ ପହଞ୍ଚି ନିମନ୍ତ୍ରଣ ପ୍ରଦାନ କରୁଛ୍ତି ୧୩ଟି ଟିମ୍। ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପରିକ୍ରମା ନିମନ୍ତ୍ରଣ ପହଞ୍ଚିଥିବାବେଳେ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉ, ଦେବଗଡ ଗୋପାଳ ଜୀଉ ମନ୍ଦିର, ରାୟଗଡ଼ାର ଜଗନ୍ନାଥ ଓ ମଝିଘରିଆଣୀ ମନ୍ଦିର, ସୁବର୍ଣ୍ଣପୁର ଜଗନ୍ନାଥ ମନ୍ଦିର, ମାଲକାନଗିରି ଜଗନ୍ନାଥ ମନ୍ଦିର, ଝାରସୁଗୁଡ଼ାର ଜଗନ୍ନାଥ ଓ ଝଡ଼େଶ୍ବର ମନ୍ଦିର ଆଦି ବିଭିନ୍ନ ସ୍ଥାନରେ ପରିକ୍ରମା ନିମନ୍ତ୍ରଣ ପହଞ୍ଚି ସାରିଛି । ସବୁଠି ସ୍ବତନ୍ତ୍ର ଦଳକୁ ନାମସଂକୀର୍ତ୍ତନ କରି ସ୍ଥାନୀୟ ଲୋକମାନେ ସ୍ବାଗତ କରୁଥିବାବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ମିଳୁଥିବାରୁ ଜଗନ୍ନାଥପ୍ରେମୀ ଉତ୍ସାହିତ ହୋଇପଡ଼ିଛନ୍ତି ।