ପରୀ ହତ୍ୟା ମାମଲା: ଲେଗିଙ୍ଗସ୍-ମୋବାଇଲ ପରେ ଏବେ ରକ୍ତ ଭିଜା ଗାମୁଛା ଜବତ କରିଛି SIT

1 min read

ନୟାଗଡ଼: ଦିନକୁ ଦିନ ସାମ୍ନାକୁ ଆସୁଛି ପରୀକୁ ହତ୍ୟା କରିଥିବା ଅଭିଯୁକ୍ତ ସରୋଜ ସେଠୀର ରାକ୍ଷସ ରୂପ । ନିରୀହ ପରୀକୁ ତଣ୍ଟି ଚିପି ମାରିବାବେଳେ ନାକରୁ ବାହାରିଥିବା ରକ୍ତକୁ ନିଜ ଗାମୁଛାରେ ପୋଛିଥିଲା ସରୋଜ । ଯାହାକୁ ଆଜି ଛାନଭିନ୍‌ ବେଳେ ଜବତ କରିଛି ଏସଆଇଟି । ସେହିପରି ଦ୍ୱିତୀୟ ଦିନରେ ପୋଖରୀରୁ ମିଳିଛି ଏକ ମୋବାଇଲ ଫୋନ୍‌ । କିନ୍ତୁ ତାହା କାହାର ସେ ନେଇ ଅନୁସନ୍ଧାନ ଜାରି ରହିଛି । ସେପଟେ ଘଟଣାକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର କରିଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ହାତରେ କେବେ ପଡିବ ହାତକଡ଼ି ବୋଲି ଉଠୁଛି ପ୍ରଶ୍ନ ?

ସେପଟେ ଗାମୁଛାରେ ରକ୍ତ ଦାଗ ଥିବା ସ୍ପଷ୍ଟ କରିଛନ୍ତି ବିଶେଷଜ୍ଞ । ଅଧିକ ପରୀକ୍ଷା ପାଇଁ ଗାମୁଛା ଲ୍ୟାବ୍‌କୁ ପଠାଯାଇଛି । ଏହାସହ କାଲି ରାତିରେ ପୋଖରୀରୁ ପରୀର ଲେଗିଙ୍ଗସ୍‌ ମିଳିବା ପରେ ବୁଧବାର ଦ୍ୱିତୀୟ ଦିନରେ ଏହାକୁ ଆହୁରି ଘାଣ୍ଟିଛି ଏସଆଇଟି । ଅଧିକ ପ୍ରମାଣ ପାଇଁ ଦିନ ୧୧ଟାରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ଦୁଇ ଘଣ୍ଟା ଧରି ସ୍କୁବା ଡାଇଭର ପୋଖରୀକୁ ଘାଣ୍ଟିଛନ୍ତି ।

ପୋଖରୀ ସହ ଅଭିଯୁକ୍ତ ସରୋଜ ସେଠୀର ଘରେ ମଧ୍ୟ ଆଜି SIT ଖୋଳତାଡ଼ କରିଛି । ତଦନ୍ତକାରୀ ଦଳ ସରୋଜ ଘରର କୋଣଅନୁକୋଣ ତଲାସ କରିଛନ୍ତି । ତଲାସି ବେଳେ ସରୋଜର ରକ୍ତ ଭିଜା ଗାମୁଛାକୁ ଏସଆଇଟି ନେଇଯାଇଥିବା ବେଳେ ଆହୁରି କେତେ ଜିନିଷ ନେଇ ତଦନ୍ତ ପରିସରଭୁକ୍ତ କରିଛି ବୋଲି କହିଛନ୍ତି ସରୋଜର ମା’ ଶୈଳବାଳା ସେଠୀ ।

ଖାଲି ସେତିକି ନୁହେଁ ଶୈଳବାଳା ଆହୁରି କହିଛନ୍ତି, ମୁଁ ତ ଦେଖିନି ସେ ଏମିତି କାଣ୍ଡ କଲା ବେଳେ । ତା ଭୁଲ୍‌ ସିଏ ଜାଣିଥିବ ଓ ଭଗବାନ୍‌ ଜାଣିଥିବେ । ସବୁ ଦୋଷର କ୍ଷମା ରହିଛି । ଭଗବାନ ଜାଣିଥିବେ ତାକୁ କାହିଁକି ଅପରାଧ ଆଡ଼କୁ ନେଲେ । ମାଆ ଭାବରେ ମୁଁ ତାକୁ ସବୁବେଳେ ଗାଳି କରେ । ଯଦି ଅରୁଣ ବୋଥ୍ରାଙ୍କ ଦୟା ହେବ, ସେ କ୍ଷମା ଦେବେ । ମୁଁ ଆଉ କିଛି କରି ପାରିବିନି, ଭଗବାନ ଯାହା କରିବେ । ପରି ଘର ସହିତ ଆମ ଘରର ବହୁତ ଭଲ ସମ୍ପର୍କ ରହିଛି ବୋଲି କହିଛନ୍ତି ଶୈଳବାଳା ।

Leave a Reply