ପରୀର ଶବ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ସରୋଜ, ଦେଖୁଥିଲା ରେପ୍ ଆଣ୍ଡ ମର୍ଡର ଅଫ୍ ଚାଇଲ୍ଡ ଭିଡିଓ

1 min read

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ଆସିଛି ରାୟ । ଅଭିଯୁକ୍ତ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ପ୍ରାୟ ୪ ବର୍ଷ ପୂର୍ବର ଏହି ଘଟଣା କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଚର୍ଚ୍ଚାର ଖବର ପାଲଟିଥିଲା । ଜାମୁକୋଳି ଖାଇବାକୁ ଯାଇଥିବା ୫ ବର୍ଷର ପରୀକୁ ଉଠାଇ ନେଇ ହତ୍ୟା କରିବା ପରେ ଶବ ସହ ଦୁଷ୍କର୍ମ କରିଥିଲା ସେ ସମୟରେ ନାବାଳକ ଥିବା ଅଭିଯୁକ୍ତ ସରୋଜ ସେଠୀ ।

ଜାମୁକୋଳି ଗଛ ମୂଳରୁ ଅପହରଣ, ହତ୍ୟା, ଶବ ସହ ଦୁଷ୍କର୍ମ

ଅଭିଯୁକ୍ତ ସରୋଜ ସେଠୀ ଘର ପାଖରେ ଥିବା ଏକ ଜାମୁକୋଳି ଗଛ ପାଖକୁ ଗାଁର ଛୋଟ ଛୋଟ ପିଲା କୋଳି ଖାଇବାକୁ ଆସି ଥାଆନ୍ତି । ପରୀ ବି ସେଠାକୁ ଜାମୁକୋଳି ଖାଇବାକୁ ଆସିଥାଏ । ଘଟଣା ଦିନ ପରୀ ଏକୁଟିଆ ଆସିଥିଲା । ତାକୁ ଏକାଟିଆ ଦେଖି ଏବଂ ତା’ ଘରେ କେହି ନଥିବାରୁ ଅଭିଯୁକ୍ତ ସରୋଜ ମନରେ ପାପ ଚିନ୍ତା ଆସିଥିଲା । ସେ ପରୀକୁ ତାଙ୍କ ଘରର ବାରିପଟେ ଥିବା ଘରକୁ ଡାକି ନେଇଥିଲା । ସେଠାରେ ତା’ର ଯୌନ ଲାଳସା ଚରିତାର୍ଥ କରିବାକୁ ପରୀ ପିନ୍ଧିଥିବା ଲେଗିନ୍ସ ଖୋଲିବାକୁ ଉଦ୍ୟମ କରିଥିଲା । ଏହା ଦେଖି ପରୀ ପାଟି କରି କାନ୍ଦଥିଲା । ତାକୁ ଚୁପ କରିବାକୁ ଯାଇ ସରୋଜ ତା’ ତଣ୍ଟି ଚିପି ଦେଇଥିଲା । ଅଣନିଃଶ୍ବାସୀ ହୋଇ ସେହିଠାରେ ପରୀର ମୃତ୍ୟୁ ଘଟିଥିଲା । ଏହା ପରେ ଯୌନପାଗଳ ସରୋଜ ଶବ ସହ ଦୁଷ୍କର୍ମ କରିଥିଲା ।

ଅଖାରେ ବାନ୍ଧି ପୋଖରୀରେ ଫିଙ୍ଗିଥିଲା ଶବ

ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ଏପରି ଅମାନୁଷିକ କାଣ୍ଡ ଘଟାଇବା ପରେ ଧରାପଡ଼ିବା ଭୟରେ ପରୀକୁ ଅଖା ଭିତରେ ବାନ୍ଧି ବାରିପଟେ ଫୋପାଡ଼ି ଦେଇଥିଲା । ପ୍ରଥମେ ଅଖା ବନ୍ଧା ପରୀର ଶବକୁ ପୋଖରୀରେ ଫୋପାଡ଼ି ଦେଇଥିଲା । ଏହାପରେ ପରୀର ଲେଗିନ୍ସ ତା’ ଘରେ ରହିଯାଇଥିବା ଦେଖିବାକୁ ପାଇଥିଲା । କିଛି ସମୟ ପରେ ସେ ତାହାକୁ ନେଇ ପୋଖରୀରେ ଫୋପାଡ଼ି ଦେଇଥିଲା ।

ମୋବାଇଲରେ ଦେଖୁଥିଲା ରେପ୍ ଆଣ୍ଡ ମର୍ଡର ଅଫ୍ ଚାଇଲ୍ଡ ଭିଡିଓ

ଘଟଣାର ତଦନ୍ତ ଏସଆଇଟି କରୁଥିଲା । ତଦନ୍ତ ବେଳେ ଅଭିଯୁକ୍ତର ଆଚରଣ ଓ ତା’ ମୋବାଇଲ୍ ଫୋନରୁ ଅପରାଧ ସମ୍ପର୍କରେ ସଙ୍କେତ ପାଇଥିଲା ଏସଆଇଟି । ଏସଆଇଟି ଟିମ୍ ଅଭିଯୁକ୍ତ ସରୋଜର ମୋବାଇଲ୍ ଯାଞ୍ଚ କରିବା ବେଳେ ବାରମ୍ବାର ରେପ୍ ଆଣ୍ଡ ମର୍ଡର ଅଫ୍ ଚାଇଲ୍ଡ ସଂପର୍କିତ ଖବରର ଆପ୍ ଆସିଥିଲା । ସେଥିରୁ ଜଣାପଡ଼ିଲା ଯେ, ସେ ଗୁଗଲରେ ଏଭଳି ବିଷୟ ବାରମ୍ବାର ସର୍ଚ୍ଚ କରିଛି । ପୁଣି ତା’ର ମୋବାଇଲର ପାସୱାର୍ଡ ଦେବାକୁ ସେ ମନା କରିଥିଲା । ସେହିପରି ତାକୁ ଯେତେବେଳେ ଏପରି କାଣ୍ଡ ତୁମେ କରିଛ ବୋଲି ପ୍ରଶ୍ନ କରାଗଲା, ସେ ସିଧାସିଧା ଉତ୍ତର ଦେଇଥିଲା- ଆପଣଙ୍କ ପାଖରେ କି ଏଭିଡେନ୍ସ ଅଛି ? ସାଧାରଣ ଭାବେ ଜଣେ ନାବାଳକଠାରୁ ଏପରି ପ୍ରତିକ୍ରିୟା ଆଶା କରାଯାଇନଥାଏ । ଏସବୁ କଥା ତଦନ୍ତକାରୀଙ୍କ ସନ୍ଦେହକୁ ଦୃଢ଼ କରିଥିଲା । ଅନ୍ୟପକ୍ଷରେ ଗାଁର ୧୨୦ ପରିବାରରର ସଂପୂର୍ଣ୍ଣ ତଥ୍ୟ ନିଆଯାଇଥିଲା ଓ ଅଧିକାଂଶ ତଦନ୍ତରେ ସହଯୋଗ କରିଥିବା ବେଳେ ଅଭିଯୁକ୍ତ ସରୋଜ ମୂଳରୁ ଅସହଯୋଗ ମନୋଭାବ ପ୍ରଦର୍ଶନ କରିଥିଲା । ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଇଥିଲା ଏସଆଇଟି । ପୋଖରୀରୁ ପରୀର ଲେଗିନ୍ସ ଉଦ୍ଧାର କରାଯାଇଥିଲା । ପରେ ରିମାଣ୍ଡରେ ନେଇ ଅଭିଯୁକ୍ତଠାରୁ ସତ ଉଗାରିଥିଲା ଏସଆଇଟି ।