ପରୀ ହତ୍ୟା ମାମଲା: ଲେଗିନ୍ସ ପରେ ପୋଖରୀରୁ ଉଦ୍ଧାର ହେଲା ମୋବାଇଲ ଫୋନ

1 min read
Pari death Case

ନୟାଗଡ଼: ପରୀ ହତ୍ୟା ଘଟଣାରେ, ନୂଆ ତଥ୍ୟ । ପୋଖରୀରୁ ମିଳିଲା ମାଇକ୍ରୋମାକ୍ସ ମୋବାଇଲ ଫୋନ୍‌ । ହତ୍ୟା ଘଟଣାର ତଦନ୍ତ ପାଇଁ ପୋଖରୀରୁ ଜଳ ନିଷ୍କାସନ କରାଯାଉଥିବା ବେଳେ ଏହି ମୋବାଇଲ ମିଳିଛି । ମଙ୍ଗଳବାର ରାତିରେ ପରୀର ଲେଗିନ୍ସ ଉଦ୍ଧାର କରାଯାଇଥିବା ବେଳେ ଏବେ ଏକ ମୋବାଇଲ ଫୋନ୍‌ ଉଦ୍ଧାର କରାଯାଇଛି । ତେବେ ପୋଖରୀରୁ ଜଳ ନିଷ୍କାସନ କାର୍ଯ୍ୟ ଏବେ ବି ଜାରି ରହିଛି । ଆଗକୁ ଆହୁରି ନୂଆ ତଥ୍ୟ ଓ ପ୍ରମାଣ ମିଳିବା ନେଇ ଆଶା କରାଯାଉଛି । ମୋବାଇଲଟି କାହାର ଓ କିଏ ଫିଙ୍ଗିଛି ସେନେଇ ଏବେ ଗାଁରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ପରୀ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ସରୋଜ ସେଠିକୁ ଗିରଫ କରିସାରିଛି । ଏବେ ସରୋଜକୁ ରିମାଣ୍ଡରେ ନେଇଛି ପୋଲିସ । ଜୁଲାଇ ୧୪ ଦ୍ୱିପ୍ରହର, କରୋନା ପାଇଁ ଲକ୍‌ଡାଉନରେ ଥିଲା ପୁରା ରାଜ୍ୟ । ନୟାଗଡ଼ ଯଦୁପୁର ଅଞ୍ଚଳ ମଧ୍ୟ ଲକ୍‌ଡାଉନରେ ଥିଲା । ଆଉ ସେହି ସମୟରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରାଯାଇଥିଲା । ଲକ୍‌ଡାଉନ ଯୋଗୁଁ ସେ ସମୟରେ ପ୍ରାୟ ଲୋକମାନେ ଘରେ ରହୁଥିଲେ । ତେଣୁ ଘଟଣାଦିନ କାହା ଘରେ କିଏ କିଏ ଥିଲେ, ସମସ୍ତଙ୍କ ଘର ବୁଲି ଟିକିନିଖି ଯାଞ୍ଚ କରିଥିଲା SIT । ପୂରା ଗାଁ ତଦନ୍ତରେ ସହଯୋଗ କରିଥିଲା । ସେଥିରୁ ଜଣାପଡ଼ିଥିଲା ଯେ ସେଦିନ ସରୋଜ ଘରେ ଏକା ଥିଲା । ତେଣୁ ତା’ ଉପରେ ସନ୍ଦେହ କରିଥିଲା SIT ।

ଖାଲି ସେତିକି ନୁହେଁ । ସରୋଜ ଭଉଣୀର ଫୋନକୁ ତନ ତନ କରି ଯାଞ୍ଚ କରିଥିଲା SIT । ଯାଞ୍ଚ ପରେ ଜଣାପଡ଼ିଥିଲା ଘଟଣା ପୂର୍ବ ଦିନ ରାତିସାରା ସେ ମୋବାଇଲରେ ନାବାଳିକା ବଳାତ୍କାର ଓ ହତ୍ୟା ଖବର ଦେଖିଥିଲା । ଅନ୍ୟପଟେ ପ୍ରଥମେ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅରାଜି ହୋଇଥିଲା ସରୋଜ । ଫଳରେ SITର ସନ୍ଦେହ ଅଧିକ ଘନିଭୂତ ହୋଇଥିଲା ।

ଘଟଣାଦିନ ଜାମୁକୋଳି ଖାଇବାକୁ ଯାଇଥିଲା ପରୀ । କୋଳି ଦେବାକୁ କହି ଘରକୁ ଡାକିଥିଲା ଅଭିଯୁକ୍ତ । କୋଳି ଦେବା ବଦଳରେ  ସେ ଘର ଭିତରେ ପରୀ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ହେଲେ ସେ ଚିତ୍କାର କରିବାରୁ ଭୟରେ ତା’ର ତଣ୍ଟି ଚିପି ହତ୍ୟା କରିଥିଲା ସରୋଜ । ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେ ଅଖା ବସ୍ତାରେ ମୃତ ଦେହ ଭର୍ତ୍ତି କରିଥିଲା । ଏଥିସହିତ ମୃତଦେହ ସହ ପରୀ ପିନ୍ଧିଥିବା ଫ୍ରକକୁ ମଧ୍ୟ ଅଖାରେ ପୂରାଇଥିଲା ।

Leave a Reply