ଛୁଆ କରୁ ନାହାନ୍ତି ପୁଅ ବୋହୂ, କୋର୍ଟରେ ପହଞ୍ଚିଲେ ବାପା ମାଆ, ମାଗିଲେ ୫ କୋଟିର କ୍ଷତିପୂରଣ

2 min read

ଉତ୍ତରାଖଣ୍ଡ: ପୁଅ ବୋହୂ ବାପା ମାଆଙ୍କୁ ଘରୁ ତଡି ଦେବା ଏବଂ ବାପା ମାଆ ପୁଅ ନାଁରେ ଏତଲା ଦେବା ଖବର ତ ଆପଣ ପ୍ରତିଦିନ ପଢ଼ୁଥିବେ । ହେଲେ ପୁଅ ବୋହୂ ଛୁଆ ଜନ୍ମ କରୁନାହାନ୍ତି ବୋଲି ବାପା ମାଆ କୋର୍ଟର ଆଶ୍ରୟ ନେବା ଭଳି ଖବର କେବେ ଶୁଣିଛନ୍ତି କି? ଯଦି ଶୁଣିନାହାନ୍ତି ତାହାଲେ ଏହି ଘଟଣା ସତରେ ଘଟିଛି । ବାପା ମାଆ କେବଳ କୋର୍ଟ ନୋଟିସ୍ ପଠାଇ ନାହାନ୍ତି ଯଦି ବର୍ଷକ ଭିତରେ ଛୁଆ ନ କରିବେ ତାହାଲେ ୫  କୋଟି ଟଙ୍କାର କ୍ଷତିପୂରଣ ପାଇଁ ବି ଧମକ ଦେଇଛନ୍ତି ।

ଏହା ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଭାବୁଥିବେ କ’ଣ ପ୍ରକୃତରେ ଏମିତି ହୋଇପାରେ? ଆଜ୍ଞା ହଁ, ଏମିତି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଉତ୍ତରାଖଣ୍ଡର ହରିଦ୍ୱାରରୁ ଆସିଛି। ବାହାଘରର ୬ ବର୍ଷ ପରେ ମଧ୍ୟ ପୁଅ ବୋହୂ ଛୁଆ ଜନ୍ମ କରୁ ନଥିବାରୁ ବାଧ୍ୟହୋଇ ବୃଦ୍ଧ ଦମ୍ପତି କୋର୍ଟଙ୍କ ଆଶ୍ରୟ ନେଇଛନ୍ତି।

ଯଦି ବର୍ଷକ ମଧ୍ୟରେ ସେମାନେ ଛୁଆ ନ କରିବେ, ତା’ହେଲେ ସେମାନଙ୍କୁ ୫ କୋଟି ଟଙ୍କାର କ୍ଷତିପୂରଣର ଧମକ ମଧ୍ୟ ବୃଦ୍ଧ ଦମ୍ପତି ଦେଇଛନ୍ତି। ଏନେଇ ସେମାନଙ୍କୁ କୋର୍ଟ ନୋଟିସ ପଠାଯିବ। ସ୍ଥାନୀୟ କୋର୍ଟ ବୃଦ୍ଧ ଦମ୍ପତିଙ୍କ ଆବେଦନକୁ ଗ୍ରହଣ କରିବା ସହ ଆସନ୍ତା ୧୫ ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନା ଅନୁସାରେ, ହରିଦ୍ୱାରରେ ରହୁଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ତାଙ୍କ ପତ୍ନୀ କୋର୍ଟରେ ଏପରି ଆବେଦନ କରିଛନ୍ତି। ସେମାନଙ୍କ ପୁଅ ଗୌହାଟୀରେ ପାଇଲଟ ଭାବେ କାମ କରୁଥିବା ବେଳେ ବୋହୂ ନୋଏଡାର ଏକ ଅଫିସରେ କାମ କରନ୍ତି। ଉଭୟ ୬ ବର୍ଷ ତଳେ ବିବାହ କରିଥିଲେ । ହେଲେ ଏଯାଏ ପୁଅ ବୋହୂ ବୃଦ୍ଧ ଦମ୍ପତିଙ୍କୁ ନାତି କିମ୍ବା ନାତୁଣୀ ଦେଇ ପାରୁ ନାହାନ୍ତି। ଏଥିଯୋଗୁ ଉଭୟ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।

ବାପା ମାଆ ପୁଅ ବୋହୂଙ୍କୁ ୫ କୋଟିର କ୍ଷତିପୂରଣର ଧମକ ଦେଇଛନ୍ତି। ପୁଅ ପାଠପଢ଼ା ଓ ବାହାଘର ପାଇଁ ଦମ୍ପତି ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ସେମାନେ ଏହାକୁ ହାସଲ କରିବାକୁ ଚାହୁଁଛନ୍ତି।

ଦମ୍ପତିଙ୍କ ଓକିଲ ଅରବିନ୍ଦ ଶ୍ରୀବାସ୍ତବ କହିଛନ୍ତି ଯେ, ଯଦି ବର୍ଷକ ମଧ୍ୟରେ ବୃଦ୍ଧ ଦମ୍ପତିଙ୍କ ପୁଅ ବୋହୂ ସନ୍ତାନ ଦେଇ ନ ପାରିବେ, ତା’ହେଲେ ସେମାନଙ୍କୁ ୫ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିବ।

କାରଣ ଦମ୍ପତି ଜଣଙ୍କ ପୁଅର ବାହାଘର ପଞ୍ଚ ତାରକା ହୋଟେଲରେ କରିଥିଲେ। ଏଥିସହ ପୁଅକୁ ୬୦ ଲକ୍ଷ ଟଙ୍କାର ଗୋଟିଏ କାର ଉପହାର ଦେଇଥିଲେ। ଏହାବାଦ ହନିମୁନ ପାଇଁ ସେମାନେ ଥାଇଲ୍ୟାଣ୍ଡ ଯାଇଥିଲେ। ଏଥିପାଇଁ ମଧ୍ୟ ଦମ୍ପତି ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଥିଲେ। ଏହାକୁ ମିଶାଇ ମୋଟ ୫ କୋଟି ଟଙ୍କାର ମୋକଦ୍ଦମା କରାଯାଇଛି। ସ୍ଥାନୀୟ କୋର୍ଟ ଏହାକୁ ଗ୍ରହଣ ମଧ୍ୟ କରିଛନ୍ତି ।ଏହି କେସର ଶୁଣାଣି ପାଇଁ ମେ’ ୧୫କୁ ଦିନ ଧାର୍ଯ୍ୟ କରାଯାଇଛି ।

୬୧ ବର୍ଷୀୟ ଅବସରପ୍ରାପ୍ତ କର୍ମଚାରୀ ଜଣଙ୍କ କହିଛନ୍ତି ଯେ, “ମୋର ଗୋଟିଏ ପୁଅ। ମୁଁ ମୋର ସବୁ ଟଙ୍କା ତା’ ପଛରେ ଖର୍ଚ୍ଚ କରିଛି। ୨୦୦୬ରେ ପାଇଲଟ ଟ୍ରେନିଂ କୋର୍ସ ପାଇଁ ମୁଁ ତାକୁ ଆମେରିକା ପଠାଇଥିଲି। ଏଥିପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

ବିଦେଶରେ ଆର୍ଥିକ ସଙ୍କଟ ଯୋଗୁ ପୁଅ ୨୦୦୭ରେ ଭାରତ ପଳାଇ ଆସିଥିଲା। ସେତେବେଳେ ସେ ଚାକିରି ହରାଇବା ସହ ପ୍ରାୟ ୨ ବର୍ଷ ବେକାର ବସିଥିଲା। ଏହି ସମୟରେ ମୁଁ ପୁଅକୁ ଆର୍ଥିକ ସ୍ତରରେ ସବୁ ପ୍ରକାରର ସହାୟତା କରିଥିଲି। ପରେ ସେ ଗୋଟେ ଘରୋଇ ବିମାନ ସେବା ସଂସ୍ଥାରେ ପାଇଲଟ ଚାକିରି ପାଇଥିଲା । ଏହା ପରେ ଆମେ ତାର ବାହାଘର କରାଇବାକୁ ନିଷ୍ପତ୍ତି ନେଇଥିଲୁ।

୨୦୧୬ରେ ପୁଅର ବାହାଘର ହୋଇଥିଲା। ଆମର ଆଶା ଥିଲା ଅବସର ପରେ ଆମେ ନାତି କିମ୍ବା ନାତୁଣୀଙ୍କ ସହ ଖେଳିବାର ସୁଯୋଗ ପାଇବୁ। ହେଲେ ବାହାଘରକୁ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନେ ଛୁଆ କରୁ ନାହାନ୍ତି। ଏଥିପାଇଁ ଆମେ ମାନସିକ ନିର୍ଯାତନାରେ ରହିଛୁ।”

ସେ ଆହୁରି କହିଛନ୍ତି, “ଚାକିରି କରିବା ପାଇଁ ମୋ ପୁଅବୋହୂ ଅଲଗା ହୋଇ ରହୁଥିବାରୁ ଆମେ କଷ୍ଟ ପାଉଛୁ। ଆମେ ଆମ ବୋହୂକୁ ନିଜ ଝିଅ ଭଳି ବ୍ୟବହାର କରିଛୁ। ସେ ଚାକିରି ପାଇଁ ଯଦି ଛୁଆର ଯତ୍ନ ନେଇ ପାରିବ ନାହିଁ, ତା’ହେଲେ ଆମେ ତାକୁ ପାଳିବାକୁ ରାଜି ଅଛୁ। ଆମ ପାଖରେ ଥିବା ଟଙ୍କା ଏବେ ସରିବାକୁ ବସିଲାଣି। କାରଣ ପୁଅର ଭବିଷ୍ୟତ ପାଇଁ ଆମେ ସବୁ ଟଙ୍କା ଖର୍ଚ୍ଚ କରି ସାରିଛୁ।”

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଆଇନଜୀବୀଙ୍କ ମତରେ ଭାରତ ତଥା ଉତ୍ତରାଖଣ୍ଡରେ ଏପରି କେସ ପ୍ରଥମ। ବାପାମାଆଙ୍କ ଦୃଷ୍ଟିକୋଣରୁ ସେମାନଙ୍କ ଦାବି ଯର୍ଥାଥ।

ଏ ନେଇ କୋର୍ଟ ୧୫ ତାରିଖରେ ମାମଲାର ଶୁଣାଣି କରି ଅଭିଯୁକ୍ତ ଦମ୍ପତିଙ୍କୁ ନୋଟିସ କରିପାରନ୍ତି। ସେମାନଙ୍କ ଜବାବ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ କୋର୍ଟ ନେବେ ବୋଲି ଜଣାପଡ଼ିଛି।