ମୃତ୍ଯୁ ପରେ ବି ଅମର: ନିଜେ ଦୁନିଆ ଛାଡ଼ିଗଲେ, କିନ୍ତୁ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲେ

ବ୍ୟୁରୋ ରିପୋର୍ଟ: ନିଜେ ଦୁନିଆ ଛାଡ଼ିଗଲେ, କିନ୍ତୁ ଅନ୍ୟ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲେ । କେନ୍ଦ୍ରାପଡ଼ା ଡିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗାଁର ଯୁକ୍ତଦୁଇ ଛାତ୍ର ଶ୍ରୀଓମ୍ ଶିବୁଙ୍କ ବ୍ରେନ୍ ଡେଡ୍ ପରେ ତାଙ୍କର ଦୁଇଟି ଯାକ କିଡନୀ ଦାନ କରିଛନ୍ତି ପରିବାର। ବ୍ରେନ୍ ଟ୍ୟୁମରରେ ପୀଡ଼ିତ ହୋଇ ଦେଢ଼ ମାସ ଧରି କଟକ ଏସସିବିରେ ମେଡିକାଲରେ ସେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶ୍ରୀଓମ ଶିବୁଙ୍କର ବ୍ରେନ୍ ଡେଡ୍ ହୋଇ ଯାଇଥିଲା। ଏହାପରେ ତାଙ୍କ ବାପା, ମାଆ ଓ ପରିବାର ଲୋକ ଶ୍ରୀଓମ ଶିବୁଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ମୂତ୍ରରୋଗ ଶଲ୍ୟ ଚିକିତ୍ସା ଓ ବୃକକ୍ ପ୍ରତିରୋପଣ ବିଭାଗରେ ତାଙ୍କର ଦୁଇଟି କିଡନୀକୁ ସଫଳତାର ସହ ବାହାର କରାଯାଇ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ ପାଇଁ ବ୍ୟବସ୍ଥା କରାଯାଇଛି । ଗୋଟିଏ କିଡିନୀ କଟକ ଏସସିବି ମେଡିକାଲ ଏବଂ ଆଉ ଗୋଟିଏ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି ।
ଅନ୍ୟପଟେ କଟକ ବଡ଼ ମେଡିକାଲରେ ନିଶ୍ଚିନ୍ତକୋଇଲି ବଡ଼କ୍ଷୀର ଗ୍ରାମର ମଳୟ କୁମାର ସାମଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଥିଲା। ତାଙ୍କ ପରିବାର ସଦସ୍ୟ ମଳୟଙ୍କ ଚକ୍ଷୁଦାନ ପାଇଁ ଆଇବ୍ୟାଙ୍କ୍ ସହିତ ଯୋଗାଯୋଗ କରିଥିଲେ। ମଳୟଙ୍କ ଚକ୍ଷୁଦାନ କରାଯାଇଛି। ମଳୟ ସିନା ଆରପାରିକୁ ଚାଲିଗଲେ, ହେଲେ ତାଙ୍କ ଆଖିରେ ଆଉ ଦୁଇଜଣ ଦୃଷ୍ଟିହୀନ ଦୁନିଆ ଦେଖିପାରିବେ। ଏଥିପାଇଁ ସମସ୍ତେ ମଳୟଙ୍କ ପରିବାରକୁ ପ୍ରଶଂସା କରିଛନ୍ତି।