ବାପା-ମାଆଙ୍କ ଏ ଭୁଲ ନଷ୍ଟ କରିଦେବ ପୁଅର ଭବିଷ୍ୟତ

ନନ୍ଦିଘୋଷ ବ୍ୟୁରୋ: ସବୁ ବାପା ମାଆଙ୍କର ଗୋଟିଏ ଆଶା, ପୁଅ ବଡ ହୋଇ ଭଲ ଚାକିରି କରିବ, ଦେଶ ଦୁନିଆରେ ନାଁ କରିବ । ସମ୍ମାନର ଅଧିକାରୀ ହେବ । ଏଥିପାଇଁ ସେମାନେ ଅଧିକ ଯତ୍ନବାନ ହୋଇପଡିଥାନ୍ତି । ବିଶେଷ କରି ଭାରତୀୟ ପରିବାରର ଏହା ଅଧିକ ଦେଖିବାକୁ ମିଳିଥାଏ । ଏମିତି ବି ହୋଇଥାଏ ଭାରତୀୟ ପରିବାରରେ ଝିଅମାନଙ୍କ ଅପେକ୍ଷା ପୁଅଙ୍କ ପ୍ରତି ବାପାମାଆ ଅଧିକ ଧ୍ୟାନ ଦେଇଥାନ୍ତି । ତେବେ ଏମିତି ଧ୍ୟାନ ଦେବା ଚକ୍କରରେ ବାପାମାଆ ଏମିତି ଭୁଲ କରି ବସନ୍ତି ଯାହା ସେମାନଙ୍କ ପୁଅର ଭବିଷ୍ୟତକୁ ନଷ୍ଟ କରିଦେଇପାରେ ।

ପିଲା ଭବିଷ୍ୟତରେ କେମିତି ହେବ ଏହା ଆପଣଙ୍କ ଲାଳନପାଳନ ଉପରେ ନିର୍ଭର କରିଥାଏ । ପିଲାଙ୍କୁ ସବୁ କାମରେ ଢିଲା ଦେବା ସେମାନଙ୍କ ସ୍ବଭାବ ନଷ୍ଟ କରିପାରେ । ସେହିପରି ଆବଶ୍ୟକରୁ ଅଧିକ କଠୋର ହେବା ସେମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇ ପାରେ । ଆଜି ଆମେ ବାପାମାଆଙ୍କର ଏମିତି କିଛି ଭୁଲ ବିଷୟରେ କହିବାକୁ ଯାଉଛି ସେମାନଙ୍କ ପୁଅର ଭବିଷ୍ୟତକୁ ନଷ୍ଟ କରି ଦେବାର ସମ୍ଭାବନା ରହିଛି ।

ଘର ଦାୟିତ୍ବ ନଦେବା

ଭାରତୀୟ ସମାଜରେ ଅଧିକାଂଶ ଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଝିଅକୁ ଅଧିକ କାମ କରାଯାଇଥାଏ । ହେଲେ ପୁଅଙ୍କୁ ଘର କାମରେ ସାହାଯ୍ୟ କରିବାକୁ କୁହାଯାଇ ନଥାଏ କି ଘର କାମ ଶିଖା ଯାଇ ନଥାଏ ।  ଯଦି ଆପଣ ନିଜ ପୁଅ ସହ ଏମିତି କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଏମିତି କରିବା ଦ୍ବାର ପୁଅମାନେ ପିଲାବେଳୁ ଦାୟିତ୍ବହୀନ ହୋଇ ଯାଇଥାନ୍ତି । ଯାହା ଭବିଷ୍ୟତରେ ସେମାନଙ୍କ ଜୀବନକୁ ଜଟିଳ କରି ଦେବାର ସମ୍ଭାବନା ରହିଛି ।

ଭାବପ୍ରବଣ ହେବାକୁ ନଦେବା

ବହୁତ ସମୟରେ ଲୋକଙ୍କ ପାଖରୁ ଶୁଣିଥିବେ ପୁଅମାନେ କେବେ କାନ୍ଦନ୍ତି ନାହିଁ । ଏହାକୁ ଆପଣ ନିଜ ସନ୍ତାନ (ପୁଅ)ଙ୍କୁ କହୁଛନ୍ତି ଯଦି ସତର୍କ ରୁହନ୍ତୁ । କାରଣ ଏମିତି କରି ଆପଣ ବହୁତ ବଡ ଭୁଲ କରୁଛନ୍ତି । ପିଲାଙ୍କୁ ଏମିତି ଶିକ୍ଷା ଦେବା ଦ୍ବାରା ସେମାନେ ନିଜ ଭାବନା ପ୍ରକାଶ କରିପାରନ୍ତିନି । ଯାହା ସେମାନଙ୍କ ମାନସିକ ସ୍ଥିତି ଉପରେ କୁପ୍ରଭାବ ପକାଇ ପାରେ । ଯଦି ଆପଣଙ୍କ ପୁଅ କୌଣସି କଥାକୁ ନେଇ ରାଗିଛି କି ଦୁଃଖି ଅଛି ସେ ସମୟରେ ତାକୁ ନିଜ ଭାବନା ପ୍ରକାଶ କରିବାକୁ ଛାଡି ଦିଅନ୍ତୁ । ଯେତେବେଳେ ସେ ନର୍ମାଲ ହୋଇଯିବ ତା’ସହ କଥା ହୁଅନ୍ତୁ ।

ସ୍ନେହ ଓ ଭଲ ପାଇବା ନଦେଖାଇବା

ବହୁତ ସମୟରେ ଦେଖାଯାଏ ଲୋକେ ଝିଅଙ୍କୁ ବହୁତ ସ୍ନେହ ଓ ଆଦର କରିଥାନ୍ତି । ପୁଅ ପ୍ରତି ଝିଅ ଭଳି ଭଲ ପାଇବା ଥିଲେ ବି ବାହାରେ ପ୍ରକାଶ କରିନଥାନ୍ତି । ଝିଅମାନଙ୍କୁ ଯେମିତି ବାପାମାଆଙ୍କୁ ସ୍ନେହ ଓ ଭଲ ପାଇବା ଦରକାର ପୁଆମାନଙ୍କୁ ମଧ୍ୟ ସେମିତି ଦରକାର । ହେଲେ ଯଦି ଆପଣ ଝିଅକୁ ଅଧିକ ଓ ପୁଅକୁ କମ ଭଲ ପାଇବା ଦେଖାଉଛନ୍ତି ତେବେ ଆପଣ ଭୁଲ କରୁଛନ୍ତି । ଏପରି କରିବା ଆପଣଙ୍କୁ ପୁଅର ଭାବନା ଉପରେ ଖରାପ ପ୍ରଭାବ ପକାଇପାରେ । ଆପଣଙ୍କୁ ତା’ର ଆବଶ୍ୟକତା ନାହିଁ ବୋଲି ନକରାତ୍ମକ ଭାବନା ତା’ ମନକୁ ଆସିପାରେ । ବହୁ ସମୟରେ ପୁଅମାନେ ବାପାମାଆଙ୍କୁ ଗେହ୍ଲ କରିବାକୁ, ଚୁମ୍ବନ ଦେବାକୁ ମନା କରିଥାନ୍ତି । ଯଦି ଆପଣଙ୍କ ପିଲା ଏମିତି କହୁଛି ତେବେ ଭାବନ୍ତୁ ନାହିଁ ସେ ଏମିତି ଚାହୁଁନାହିଁ । ସେମାନେ ମନା କଲେ ବି ସ୍ନେହ ଓ ଭଲ ପାଇବା ଦେବା ବାପାମାଆ ବନ୍ଦ କରିବା ଉଚିତ ନୁହେଁ । କାରଣ ଉପରେ ଉପରେ ମନା କଲେ ବି ପୁଅମାନେ ବାପାମାଆଙ୍କଠାରୁ ଏମିତି ବ୍ୟବହାର ଛାହିଁଥାନ୍ତି ।

ଝିଅଙ୍କ ସହ କଥା ହେବାକୁ ନଦେବା

ବହୁ ସମୟରେ ଝିଅମାନଙ୍କ ସହ କଥା ହେବାକୁ ପୁଅମାନଙ୍କୁ ସେମାନଙ୍କ ବାପାମାଆ ମନା କରିଥାନ୍ତି । କେବଳ ପୁଅ ସାଙ୍ଗଙ୍କ ସହ କଥା ହେବାକୁ ଓ ଖେଳିବାକୁ କହିଥାନ୍ତି । ଯଦି ଆପଣ ଏମିତି କରୁଛନ୍ତି ତେବେ ତୁରନ୍ତ ଆପଣଙ୍କର ଏହି ବଦଭ୍ୟାସ ବନ୍ଦ କରନ୍ତୁ । ଏମିତି କରିବା ଦ୍ବାରା ଆପଣଙ୍କ ପୁଅ ଲାଜୁଆ ସ୍ବଭାବର ହୋଇପାରେ । ଆଗକୁ ଯାଇ ମହିଳାଙ୍କ ସହ କଥା ହେବାକୁ ତାକୁ ଡର ଲାଗିବ । ଏପରିକି ମହିଳାଙ୍କ ସହ କଥା ହେବାକୁ ଅପମାନ ଓ ସେମାନଙ୍କ ଉପସ୍ଥିତିରେ ନିଜକୁ ଅସହଜ ବୋଧ କରିବ । ବାପାମାଆଙ୍କ ଏମିତି ନିୟମ ଯୋଗୁଁ ମହିଳାଙ୍କ ସହ କେମିତି କଥା ହେବା ଦରକାର ଓ ସେମାନଙ୍କ ପ୍ରତି କେମିତି ବ୍ୟବହାର ଦେଖାଇବା ଦରକାର ପିଲାମାନେ ଶିଖି ପାରି ନଥାନ୍ତି ।

ଇଚ୍ଛାକୁ ସମର୍ଥନ ନକରିବା

ବହୁ ସମୟରେ ମାଆବାପା ପୁଅକୁ ଏମିତି କିଛି କାମ କରିବାକୁ ବାଧ୍ୟ କରିଥାନ୍ତି ଯାହା ପାରମ୍ପରିକ ସମାଜରେ କେବଳ ପୁଅମାନଙ୍କ ପାଇଁ ସ୍ଥିର କରାଯାଇଛି । ଏମିତି କାମ କରିବାକୁ ବାଧ୍ୟ କରିବା ସେମାନଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇ ପାରେ । ଆପଣଙ୍କ ପୁଅ ଯେଉଁ କାମରେ ଆଗ୍ରହ ଦେଖାଉଛି ତାକୁ ତାହା କରିବାକୁ ଛାଡି ଦିଅନ୍ତୁ, ଏହା ସେମାନଙ୍କୁ ନିଜ ଭବିଷ୍ୟତ ଗଢିବାରେ ଉତ୍ସାହିତ କରିବ ।