ଅତ୍ୟଧିକ ପାରାସିଟାମଲ ଖାଉଛନ୍ତି କି ? ତାହେଲେ ହୋଇ ଯାଆନ୍ତୁ ସାବଧାନ!

ନନ୍ଦିଘୋଷ ବ୍ୟୁରୋ: ପାରାସିଟାମଲ ଅତ୍ୟଧିକ ଖାଇଲେ ହୋଇପାରେ କିଡନୀ ଖରାପ । ଆଣିପାରେ ହୃଦରୋଗ ସହ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ରୋଗ। ବ୍ରିଟେନ୍ର ନଟିଙ୍ଗହାମ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକଙ୍କ ନୂଆ ତଥ୍ଯ ଏବେ ସୃଷ୍ଟି କରିଛି ଛନକା। ସାଧାରଣ ଜ୍ବର, କାଶ, ଆଣ୍ଠୁଗଣ୍ଠି ଦରଜ ହେଲେ ଲୋକେ ପାରାସିଟାମଲକୁ ଭରସା କରିଥାନ୍ତି। ତେବେ ଡାକ୍ତରଙ୍କ ବିନା ପରାମର୍ଶ ଓ କ୍ଲିନିକାଲ ପରୀକ୍ଷା ନ କରି ପାରାସିଟାମଲ ଖାଇବା ବିପଜ୍ଜନକ ବୋଲି ବିଶେଷଜ୍ଞ କହିଛନ୍ତି ।

ମନଇଚ୍ଛା ପାରାସିଟାମଲ ଖାଉଥିଲେ ସାବଧାନ । ଆସିଲା ବ୍ରିଟେନ୍ ନଟିଂହାମ୍ ବିଶ୍ବବିଦ୍ୟାଳୟ ବୈଜ୍ଞାନିକଙ୍କ ନୂଆ ତଥ୍ୟ । ଅତ୍ୟଧିକ ପାରାସିଟାମଲ ଖାଇବା ଦ୍ବାରା ହୋଇଥାଏ କିଡନୀ, ଅନ୍ତଃନଳୀ ଘା’ ପରି  ଗ୍ୟାସଟ୍ରାଇଟିସ ରୋଗ । ପାରାସିଟାମଲକୁ ବହୁ ଦିନରୁ ପରିଚିତ ପେନ୍କିଲର ଭାବେ ଡାକ୍ତର ରୋଗୀକୁ ଖାଇବାକୁ କହିଥାନ୍ତି । କେତେକ କ୍ଷେତ୍ରରେ ଲୋକେ ସାଧାରଣ ଜ୍ବର, ଥଣ୍ଡା, କାଶ କିମ୍ବା ଆଣ୍ଠୁଗଣ୍ଠି ଦରଜ ହେଲେ ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ବି ଖାଇଥାନ୍ତି। ନୂଆ ଗବେଷଣା ଅନୁସାରେ ଅତ୍ୟଧିକ ପାରାସିଟାମଲ୍ ବ୍ୟବହାର କରୁଥିବା ୬୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ୨୪ରୁ ୩୬ ପ୍ରତିଶତ ଲୋକଙ୍କର ଅନ୍ତଃନଳୀ ବା ବୃହଦ୍ଯନ୍ତ୍ରରେ ଘା’ ହୋଇ ରକ୍ତସ୍ରାବ ହେଉଛି । ୧୯ ପ୍ରତିଶତ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ୯ ପ୍ରତିଶତ ଲୋକଙ୍କର ହୃଦଘାତ ଓ ୭ ପ୍ରତିଶତ ଲୋକ ହାଇପରଟେନ୍ସନ୍ର ଶିକାର ହେଉଛନ୍ତି । ପାରାସିଟାମଲ ବା ଏସିଟାମିନୋଫେନ୍ର ପାର୍ଶ୍ବ ପ୍ରତିକ୍ରିୟା ଜାଣିବା ପାଇଁ ବୈଜ୍ଞାନିକମାନେ ନିୟମିତ ଏହି ଔଷଧ ସେବନ କରୁଥିବା ପ୍ରାୟ ୧ ଲକ୍ଷ ୮୦ ହଜାର ଲୋକଙ୍କ ନମୁନା ପରୀକ୍ଷା କରିଥିଲେ । ଭେଷଜ ବିଶେଷଜ୍ଞଙ୍କ ମତରେ ପାରାସିଟାମଲ ବହୁଳ ଭାବରେ ବ୍ୟବହାର ହେଉଛି । କିନ୍ତୁ ବିନା ଡାକ୍ତରଙ୍କ ପରାମର୍ଶ ଓ କ୍ଲିନିକାଲ ପରୀକ୍ଷାରେ ଏହାକୁ ନେବା ବିପଜ୍ଜନକ । ଯେଉଁ ବ୍ୟକ୍ତି ଏକାଧିକ ରୋଗରେ ପୀଡ଼ିତ ତାଙ୍କୁ ପାରାସିଟାମଲ ସ୍ଥାନରେ ଅନ୍ୟ ପେନ୍ କିଲର୍ ଦିଆଯାଇପାରିବ ।

ଶରୀରରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହେଲେ ଲୋକେ ପେନ୍କିଲର୍ ନେଉଛନ୍ତି । ଅନ୍ୟ ପେନ୍ କିଲର୍ ତୁଳନାରେ ପାରାସିଟାମଲ ଏତେଟା ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି କରେନାହିଁ । ବିଶିଷ୍ଟ ନ୍ୟୁରୋ ସର୍ଜନଙ୍କ ମତରେ ଶରୀରରେ ପୀଡ଼ା ହେଲେ କିମ୍ବା ଆଘାତ ଲାଗିଲେ ମସ୍ତିଷ୍କକୁ ପୀଡ଼ା ଅନୁଭବ କରିବାକୁ ସିଗନାଲ ଯାଇଥାଏ । ପେନ୍ କିଲର ଖାଇବା ଦ୍ବାରା ଏହି ସିଗନାଲ ସାମୟିକ ସମୟ ପାଇଁ ବ୍ରେକ୍ ହୋଇଥାଏ । ଫଳରେ ରୋଗୀଟି ଆଉ ପୀଡ଼ା ଅନୁଭବ କରିପାରେନି । ପ୍ରତ୍ୟେକ ପେନ୍ କିଲର୍ ହଜମ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ରୋଗୀକୁ ପ୍ରତ୍ୟେକ ପେନ୍ କିଲର ଖାଇବା ପୂର୍ବରୁ ଡାକ୍ତର ଗ୍ୟାସ୍ ପ୍ରତିରୋଧକ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

ଲୋକଙ୍କ ଜୀବନଶୈଳୀ, ଫାଷ୍ଟଫୁଡ ଖାଦ୍ୟ ନାନାଦି ରୋଗ ସୃଷ୍ଟି କରୁଛି । ଏ ନେଇ ନୂଆ ନୂଆ ରୋଗ ବି ଦେଖିବାକୁ ମିଳୁଛି । ପାରାସିଟାମଲର ନୂଆ ଗବେଷଣା ସଚେତନ କରୁଛି ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ବି ଔଷଧ ନେବା ଜୀବନ ପ୍ରତି ହାନିକାରକ ।

ନଜର ପକାନ୍ତୁ