ରାସ୍ତା ନିର୍ମାଣର ୫ ଦିନରେ ଉଠିଗଲା ପିଚୁ

ଗଜପତି: ନିମ୍ନ ମାନର ରାସ୍ତା ନିର୍ମାଣ କାର୍ଯ୍ୟ ଯୋଗୁଁ ଜନ ଅସନ୍ତୋଷ । ନିର୍ମାଣର ମାତ୍ର ପାଞ୍ଚ ଦିନ ମଧ୍ୟରେ ଉଠିଗଲା ପିଚୁ ଓ ଗୋଡ଼ି । ଅଟକଳ ଅନୁଯାୟୀ ମରାମତି କାର୍ଯ୍ୟ ହେଉନଥିବାରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ନିମ୍ନ ମାନର କାର୍ଯ୍ୟ କରି ଆତ୍ମସାତ ଉଦ୍ୟମ ବେଳେ ଘେରିଲେ ଲୋକେ। ବାଧ୍ୟ ହୋଇ ଅଧାରୁ ବନ୍ଦ କରିଲେ ନିର୍ମାଣ କାର୍ଯ୍ୟ। ପୁନଃ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଲେ ଯନ୍ତ୍ରୀ ।

ଲୋକଙ୍କ ଯାତାୟତ ସୁବିଧା ପାଇଁ ଆରମ୍ଭ ହୋଇଥିଲା ରାସ୍ତା ମରାମତି । ହେଲେ ଠିକାଦାରଙ୍କ ଲାଭଖୋର ମନୋବୃତି ପାଇଁ ନିମ୍ନମାନର କାମ ହୋଇଥିବା ଅଭିଯୋଗ । ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଜନ ଅସନ୍ତୋଷ।  ପାରଳାଖେମୁଣ୍ଡି ଜଙ୍ଗମସାହି ରେଲଓ୍ବେ ଫାଟକ ଠାରୁ ସୀତାସାଗର ପର୍ଯ୍ୟନ୍ତ ରାସ୍ତା ଉପରେ ଅଧିକ ନିଭର୍ରଶୀଳ ଜନସାଧାରଣ । ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥଲା ଏହାର ମରାମତି କାର୍ଯ୍ୟ । ମାତ୍ର ୧.୫ କିମି ରାସ୍ତାର ମରାମତି ପାଇଁ ୧୯ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ହେଲେ ଖାଲ ଖମାରେ କିଛି କିଛି ମେଟାଲ ଢାଳି ଅତି ପତଳାରେ ପିଚୁ ପକାଇ କାମ ଶେଷ କରିବାକୁ ଠିକାଦାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଫଳରେ ମାତ୍ର ୫ ଦିନ ମଧ୍ୟରେ ରାସ୍ତାରୁ ପିଚୁ ଉଠି ଯିବାରୁ ଯାତାୟାତ କରୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି  ।

ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେରଖି ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରୁଛନ୍ତି ରାଜ୍ୟ ସରକାର । ହେଲେ ଅନୁଦାନ ଅର୍ଥ ଉପଯୁକ୍ତ ଭାବେ ବିନିଯୋଗ ହେଉନଥିବାରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସାକାର ହେଉନଥିବା ଅଭିଯୋଗ ହୋଇଛି । ସେପଟେ ରାସ୍ତା ପୁନଃ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ ।