ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଅବହେଳିତ; ନା ପାଠ୍ୟ ପୁସ୍ତକରେ ସ୍ଥାନ ମିଳିଛି, ନା ସରକାରୀ ଯୋଜନାରେ

ଭୁବନେଶ୍ବର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ମହାରାଜା । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ । ୧୯୧୪ରୁ ଓଡିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଧରିଥିଲେ ମଙ୍ଗ । ହେଲେ ଆଜି ଅବହେଳିତ । ନା କୌଣସି ପାଠ୍ୟପୁସ୍ତକ, ନା ସରକାରୀ ଯୋଜନାରେ ମିଳିଛି ସ୍ଥାନ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ଅଞ୍ଚଳର ଲୋକେ । ଉତ୍କଳ ଦିବସରେ ପାରଳା ମହାରାଜାଙ୍କୁ ନେଇ ବିଶେଷ ରିପୋର୍ଟ ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିଲେ ମୁଖ୍ୟ ବିନ୍ଧାଣୀ । ବହୁ ଘାତ ପ୍ରତିଘାତ ସତ୍ତ୍ଵେ ସେ ଲଣ୍ଡନ ଗସ୍ତ କରି ଗୋଲଟେବୁଲ ବୈଠକରେ ଯୋଗଦେଇଥିଲେ । ଆଉ ସେହି ବୈଠକରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନେଇ ଦାବି ରଖିଥିଲେ । ତାଙ୍କର ବଳିଷ୍ଠ ଉପସ୍ଥାପନ ଆଗରେ ହାର ମାନି ଉତ୍କଳ ପ୍ରଦେଶ ଗଠନ ପାଇଁ ବାଧ୍ୟ ହୋଇଥିଲେ ଇଂରେଜ ସରକାର । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । ହେଲେ ଆଜି ଏହି ମହାନ ଜନନାୟକ ଅବହେଳିତ ଅବସ୍ଥାରେ । ଆଜି ଯାଏଁ କୌଣସି ପାଠ୍ୟପୁସ୍ତକରେ ତାଙ୍କୁ ସ୍ଥାନ ମିଳିନି । ଏପରିକି ଗଣ୍ଡା ଗଣ୍ଡା ସରକାରୀ ଯୋଜନା ଥିଲେ ବି ତାଙ୍କ ନାଁରେ କୌଣସି ଗୋଟିଏ ହୋଇନି ।
୧୯୦୩ ମସିହାରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଂଘର୍ଷ ଆରମ୍ଭ ହୋଇ ୧୯୩୬ ମସିହାରେ ସମାପ୍ତ ହୋଇଥିଲା ତାହା ନୁହେଁ । ଏ ସଂଘର୍ଷ ଦୀର୍ଘ ୬୬ ବର୍ଷର । ଆଉ ଏହାର ମୂଳଦୁଆ ପକାଇଥିଲେ ୧୮୭୦ ମସିହାରେ ତତ୍କାଳୀନ କାଟିଙ୍ଗା ବା ବର୍ତ୍ତମାନର କନ୍ଧମାଳର ମହାରାଜା ଭେଙ୍କଟେଶ ଦେଓ । ମାନ୍ଦ୍ରାଜ ପ୍ରଦେଶରେ ଥିବା ସମସ୍ତ ଓଡିଆଙ୍କୁ ଏକତ୍ରିତ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ୧୯୧୩ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଓଡ଼ିଆଙ୍କୁ ଏକତ୍ରିତ କରିବାକୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୧୯୧୪ରୁ ଓଡିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମଙ୍ଗ ଧରିଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ।
ଚଳିତବର୍ଷ ରାଜ୍ୟରେ ଏକ ପକ୍ଷ ଧରି ଓଡିଆ ପକ୍ଷ ପାଳନ କରୁଛନ୍ତି ସରକାର । କିନ୍ତୁ ସ୍ବତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀଙ୍କ ଅବଦାନକୁ ସମ୍ମାନ ନମିଳିବା ଦୁର୍ଭାଗ୍ୟଜନକ ।