ବାତ୍ୟା ଅପଡେଟ୍ : ପାରାଦୀପଠାରୁ ୫୦ କିଲୋମିଟର ଦୂରରେ…

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଲ୍ୟାଣ୍ଡଫଲ କାଉଣ୍ଟଡାଉନ୍। ଆଉ କିଛି ଘଣ୍ଟା ମଧ୍ୟରେ ଦାନା ଛୁଇଁବ ସ୍ଥଳଭାଗ। ସୁ ସୁ ହୋଇ ଗର୍ଜନ କରି ମାଡି ଆସୁଛି ବାତ୍ୟା। ଉପକୂଳ ଆଡକୁ ମାଡ଼ି ଆସୁଥିବା ବେଳ ପ୍ରଭାବ ଦେଖାଇଲାଣି ବାତ୍ୟା। ରାଜନଗର ଦେଇ ଚାନ୍ଦବାଲିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା। ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଆସୁଛି ଦାନା। ଆଜି ମଧ୍ଯରାତ୍ରୀରୁ ଆରମ୍ଭ ହେବ ବାତ୍ୟାର ଲ୍ଯାଣ୍ଡଫଲ୍ ପ୍ରକ୍ରିୟା। ଆଉ କିଛି ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବାତ୍ୟାଟି ପାରାଦୀପଠାରୁ ୫୦ କିଲୋମିଟର ଦୂରରେ ରହିଛି। ସେହିପରି ଧାମରାଠାରୁ ୬୦ କିଲୋମିଟର ଓ ସାଗରଦ୍ବୀପଠାରୁ ୧୭୦ କିଲୋମିଟର ଦୂରରେ ରହିଛି ବାତ୍ଯା। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ। ୯ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଅନୁଗୁଳ ଓ ଢ଼େଙ୍କାନାଳକୁ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୩୦୦ ମିଲିମିଟର ବର୍ଷା ହୋଇପାରେ। ସେହିପରି ପ୍ରବଳରୁ ଅତି ପ୍ରବଳ ବୀର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ବୌଦ୍ଧ ଓ ସୋନପୁରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବାତ୍ୟାଟି ଲ୍ୟାଣ୍ଡଫଲ କରିବା ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଦକ୍ଷିଣ ଓଡ଼ିଶା ମୁହାଁହେବ। ୨୬ ତାରିଖ ବେଳକୁ ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ, ନୟାଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ। ବାତ୍ୟା ପ୍ରଭାବରେ ଉପକୂଳରେ ସ୍ବାଭାବିକ ଠାରୁ ୨ ମିଟରରୁ ଅଧିକ ଉଚ୍ଚର ଜୁଆର ଆସିବ। ବର୍ତ୍ତମାନ ପାରାଦୀପ ଓ ଗୋପାଳପୁର ରାଡାରରେ ବାତ୍ୟାର ଗତିପଥକୁ ନିରୀକ୍ଷଣ କରାଯାଉଛି। ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଛି। କେନ୍ଦ୍ରାପଡ଼ା, ମହାକାଳପଡ଼ା, ଧାମରା, ବାଲେଶ୍ବର, ଭଦ୍ରକରେ ବଡ଼ ବଡ଼ ଗଛ ଭାଙ୍ଗି ପଡିଛି। ତୁରନ୍ତ ଏନଡିଆରଏଫର ତୃତୀୟ ବାଟାଲିୟନ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛି।