ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଅଚଳାବସ୍ଥା : ବିବାଦ ଘଟଣା ପଛରେ ରହିଥିଲା ମନ୍ତ୍ରୀଙ୍କ ହାତ !

ନନ୍ଦିଘୋଷ ବ୍ୟୁରୋ: ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଅଚଳାବସ୍ଥା ମୂଳରେ ରହିଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ । ଦୀର୍ଘ ୩୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବର୍ଥର ଅପରେସନକୁ ବନ୍ଦ କରାଇବା ସହ ଦୁଇଟି ଜାହାଜକୁ ୩୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଡିଟେନ କରାଇବା ଏବଂ ବନ୍ଦରରୁ ଜାହାଜ ଫେରିଯିବା ଘଟଣାରେ ରହିଥିଲା ମନ୍ତ୍ରୀଙ୍କ ହାତ । ଏହି କଥାକୁ ନିଜେ ସ୍ବୀକାର କରିଛନ୍ତି ମନ୍ତ୍ରୀ । କମ୍ପାନୀ କର୍ତୃପକ୍ଷଙ୍କ ସହିତ ଆଲୋଚନା କରି ଦୁର୍ଘଟଣାରେ ମୃତ ଭୋଳାନାଥ ସ୍ବାଇଁଙ୍କୁ କ୍ଷତିପୂରଣ ପ୍ରଦାନ କରିଛି ବୋଲି ମନ୍ତ୍ରୀ କହିଛନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ପାରାଦୀପବାସୀ । ଯଦି ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ନ୍ଯାୟ ପ୍ରଦାନ କରିଥିଲେ ତେବେ ୩୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ କାହିଁକି ବର୍ଥରେ ଅଚଳାବସ୍ଥା ରହିଲା ? ପାରାଦୀପ ବନ୍ଦରକୁ ଆନ୍ତର୍ଜାତିକ ବଜାରରେ କାହିଁକି ବଦନାମ କରାଗଲା ? ଶିଳ୍ପମନ୍ତ୍ରୀଙ୍କର ଏହା ଏକ ରାଜନୈତିକ ଉଦ୍ଦେଶ୍ଯ ପଣୋଦିତ କାର୍ଯ୍ୟକ୍ରମ ଥିଲା ବୋଲି ଅଭିଯୋଗ ହୋଇଛି ।