ପାରା ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣିମ ସୋମବାର: ଗୋଟିଏ ଦିନରେ ପାଞ୍ଚ ପଦକ ଜିତିଲେ ଖେଳାଳି

1 min read

ଟୋକିଓ: ଭାରତ ପାଇଁ ଗର୍ବ ଓ ଗୌରବ ଆଣିଲା ପାରା-ଅଲିମ୍ପିକ୍ସ  । ଗୋଟିଏ ଦିନରେ ୫ଟି ପଦକ ହାସଲ କରିଥିବା ବେଳେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ଖେଳାଳି । ସୁଟିଂରେ ସୁନା ଜିତିଛନ୍ତି ଅବନୀ ଲେଖାରା । ସେହିଭଳି ଜାଭେଲିନ୍ ଥ୍ରୋ’ରେ ସୁମିତ ଅନ୍ତିଲ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଆଜି ସୁଦ୍ଧା ଭାରତ ୭ଟି ପଦକ ହାସଲ କରିବା ସହ ପଦକ ତାଲିକାରେ ୨୫ ନମ୍ବର ସ୍ଥାନରେ ରହିଛି ।

ଶୁଭ ସୋମବାର । ସୁବର୍ଣ୍ଣ ସୋମବାର । ପାରାଅଲିମ୍ପିକ୍ସରେ ଭାରତକୁ ଡବଲ ଗୋଲ୍ଡ  । ଗୋଟିଏ ଦିନରେ ପାଞ୍ଚଟି ପଦକ ଜିତିଲେ ଭାରତୀୟ ଖେଳାଳି  । ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ବର୍ଷା । ସୁଟିଂରେ ସୁନା ଜିତିଲେ ସୁନା ଝିଅ ଅବନୀ ଲେଖାରା । ମହିଳା ୧୦ମିଟର ଏୟାର ପିସ୍ତଲ ଫାଇନାଲରେ ଭାରତ ପାଇଁ ଆଣିଲେ ଗର୍ବ ଓ ଗୌରବ । ୧୯ ବର୍ଷୀୟ ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ଗୋଲ୍ଡ ମେଡାଲ ଜିତିଛନ୍ତି । ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଭାରତକୁ ଏପରି ସ୍ୱର୍ଣ୍ଣ ପଦକ ମିଳିବା ପ୍ରଥମ । ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି  । ଫାଇନାଲରେ ୬୮.୫୫ ମିଟର ବେଷ୍ଟ ଥ୍ରୋ କରି ସ୍ୱର୍ଣ୍ଣିମ ଇତିହାସ ଲେଖିଛନ୍ତି ସୁମିତ  । ୬ ବର୍ଷ ତଳେ ଏକ ଦୁର୍ଘଟଣାରେ ସୁମିତ ନିଜର ଏକ ଗୋଡ଼ ହରାଇଥିଲେ  । ଏହାପରେ ବି ସେ କେବେ ହାର ମାନିନାହାନ୍ତି  । ଆଜି ସେ ସ୍ୱର୍ଣ୍ଣ ପଦକ ଜିତି ନିଜର ସ୍ୱପ୍ନ ପୂରଣ କରିଛନ୍ତି  ।

ସକାଳୁ ସକାଳୁ ୨ଟି ପଦକ ମିଳିବା ପରେ ଜାଭେଲିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି । ଆଥ୍ଲେଟ୍ ଦେବେନ୍ଦ୍ର ଝାଝରିୟା ଜାଭେଲିନ୍‌ରେ ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ସିଂହ ଗୁର୍ଜାର ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିଭଳି ପୁରୁଷ ଡିସକସ ଥ୍ରୋରେ ଯୋଗେଶ କଥୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି । F-56 ଯୋଗ୍ୟତାରେ ସେ ଏହି ସଫଳତା ହାସଲ କରିଛନ୍ତି ।

ଅନ୍ୟପଟେ ଭାରତୀୟ ଡିସକସ୍ ଥ୍ରୋରେ ବିନୋଦ କୁମାରଙ୍କ ଠାରୁ ଖସିଯାଇଛି ବ୍ରୋଞ୍ଜ ପଦକ  । ଗତକାଲି ତାଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା  । ହେଲେ ବିରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ନିଷ୍ପତ୍ତି, ବିନୋଦଙ୍କ ବିରୋଧରେ ଯାଇଛି  । ପାରା ଅଲିମ୍ପିକ୍ସର  ବୈଷୟିକ ପ୍ରତିନିଧି ସ୍ଥିର କରିଛନ୍ତି ଯେ, ବିନୋଦ କୁମାର ଡିସକସ୍ ଥ୍ରୋ ଏଫ ୫୨ କ୍ଲାସ୍ ପାଇଁ ଯୋଗ୍ୟ ଶ୍ରେଣୀରେ ଆସୁନାହାନ୍ତି ।

ଏଥିସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଭାରତୀୟ ଦଳ ଦୁଇଟି ସ୍ୱର୍ଣ୍ଣ ୪ଟି ରୌପ୍ୟ ଏବଂ ୧ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଭାରତୀୟ ଖେଳାଳିଙ୍କ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ସାରା ଦେଶ ଶୁଭେଚ୍ଛା ଜଣାଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ବିଶ୍ୱ ରେକର୍ଡ ସହ ଜାଭେଲିନ୍‌ରେ ସ୍ୱର୍ଣ୍ଣ ଜିତିଲେ ସୁମିତ

Leave a Reply