ତାଲିବାନକୁ ପଞ୍ଜଶୀର ଦେଲା ପାକିସ୍ତାନ, ଡ୍ରୋନ୍ ଆକ୍ରମଣ କାରଣରୁ ଦେଶ ଛାଡ଼ିଲେ ସାଲେହ

1 min read

କାବୁଲ: ବିଦ୍ରୋହର ଶେଷ ଗଡ଼ ପଞ୍ଜଶୀରର ପତନ ସହିତ ପୁରା ଆଫଗାନିସ୍ତାନ ତାଲିବାନ କବଜାକୁ ଆସିଛି । ଏହା ସହିତ ନିଜକୁ ଆଫଗାନିସ୍ତାନର ପ୍ରକୃତ ରାଷ୍ଟ୍ରପତି ବୋଲି ଦାବି କରୁଥିବା ଅମରୁଲ୍ଲା ସାଲେହ ଦେଶ ଛାଡି ତାଜିକସ୍ତାନକୁ ପଳାୟନ କରିଛି । ତେବେ ତାଲିବାନର ଏହି ବିଜୟ ପାକିସ୍ତାନର ବିଜୟ ବୋଲି କୁହାଯାଉଛି । କାରଣ ପଞ୍ଜଶୀର ଘାଟି ଉପରେ ପାକ୍ ବାୟୁସେନାର ଡ୍ରୋନ୍ ଆକ୍ରମଣ ହିଁ ଯୁଦ୍ଧର ମୋଡ ବଦଳାଇ ଦେଇଥିଲା ।

ପାକିସ୍ତାନୀ ପାଇଲଟ୍ ଏନଆରଏଫ୍(ନ୍ୟାସନାଲ ରେସିଷ୍ଟାନ୍ସ ଫୋର୍ସ)ର ଆଡ୍ଡା ଉପରେ ଡ୍ରୋନ୍ ଆକ୍ରମଣ କରି ତାଲିବାନକୁ ସାହାଯ୍ୟ କରିଥିଲେ। ରବିବାର ଦିନ ଦୁଇଟି ଗାଡି ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଏନଆରଏଫର ମୁଖପାତ୍ର ଫହିମ ଦସ୍ତି ଓ ଅନ୍ୟ ୫ ଜଣ ପ୍ରାଣ ହରାଇଥିଲେ। ଫହିମ ଜଣେ ପୂର୍ବତନ ସାମ୍ବାଦିକ ଥିଲେ । କାବୁଲ ପତନ ପର୍ଯ୍ୟନ୍ତ ସେ କାବୁଲ ଡେଲିର ସମ୍ପାଦକ ଥିଲେ। ତେବେ କାବୁଲ ତାଲିବାନ କବଜାକୁ ଆସିବା ପରେ ସେ ପଂଜଶୀର ପଳାୟନ କରି ରେସିଷ୍ଟାନ୍ସ ଫୋର୍ସରେ ସାମିଲ ହୋଇଥିଲେ। ସେହିଭିଲ ପାକ୍ ଡ୍ରୋନ୍ ଆକ୍ରମଣରେ ଅହମ୍ମଦ ଶାହା ମାସୁଦଙ୍କ ଖାସ ତଥା ପଂଡଶୀର ସୁରକ୍ଷା ବାହିନୀର ପ୍ରମ୍ମୁଖ କମାଣ୍ଡର ସାଲେହ ମହମ୍ମଦ ରେଗିସ୍ତାନୀଙ୍କ ମୃତ୍ୟୁ ହୋଇଛି।

ତାଲିବାନକୁ ସାହାଯ୍ୟ କରିବା ପାଇଁ ପାକିସ୍ତାନ ସିଏଚ୍-୪ ଡ୍ରୋନ୍ ପଂଜଶୀର ଉପରେ ଆକ୍ରମଣ କରିଥିଲା। ଏହି ଡ୍ରୋନରୁ ଅମରୁଲ୍ଲା ସାଲେହ ରହୁଥିବା ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ତେବେ ସାଲେହ ସୁରକ୍ଷିତ ଭାବେ ତାଜିକସ୍ତାନ ପଳାୟନ କରିଛନ୍ତି। ଏଣେ ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବେ ମଧ୍ୟ ପଂଜଶୀରରେ ଲୁଚିଥିବା କୁହାଯାଉଛି।

ଅନ୍ୟପକ୍ଷରେ ପଂଜଶୀର ଉପରେ ପାକିସ୍ତାନୀ ଡ୍ରୋନ୍ ଆକ୍ରମଣକୁ ନେଇ ଇରାନ ଉତକ୍ଷିପ୍ତ ହୋଇଛି । ଇରାନ ପାକିସ୍ତାନକୁ ପୁନଃ ଏଭଳି ନକରିବାକୁ ଧମକ ଦେଇଛି । ଇରାନ ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ, ରବିବାର ରାତିରେ ଯେଉଁ ଆକ୍ରମଣ ହୋଇଛି ଆମେ ତାକୁ ନିନ୍ଦା କରୁଛୁ । ଆମେ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛି।

ତାଲିବାନ ମଧ୍ୟରେ କ୍ଷମତା ଭାଗବଣ୍ଟା ଛିଡି ପାରୁନଥିବା ବେଳେ ପାକିସ୍ତାନ ତାଲିବାନ ନେତାଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନର ଆର୍ଥିକ ଓ ସାମରିକ ସହଯୋଗରେ ଜନ୍ମ ନେଇଥିବା ତାଲିବାନ ଭିତରେ ଗୋଟିଏ ଗୋଷ୍ଠୀ ଆଇଏସଆଇର ଅଧିକ ହସ୍ତକ୍ଷେପକୁ ପସନ୍ଦ କରୁନାହାନ୍ତି । ପାକିସ୍ତାନ ତାଲିବାନର ହକ୍କାନୀ ନେଟୱର୍କକୁ ସମର୍ଥନ କରୁଥିବା ବେଳେ ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ ମୁଲ୍ଲା ୟାକୁବ ଓ ମୁଲ୍ଲା ବରାଦର ହକ୍କାନୀ ଗ୍ରୁପକୁ ଅଧିକ ମହତ୍ୱ ଦେବାକୁ ଚାହୁଁନାହାନ୍ତି । ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । କୁହାଯାଉଛି ଯେ, ହକ୍କାନୀ ଗ୍ରୁପର ଆକ୍ରମଣରେ ମୁଲ୍ଲା ବରଦାର ଆହତ ହୋଇଛି ।

Leave a Reply