କ୍ୱାରେଣ୍ଟାଇନ ସେଣ୍ଟରରୁ ଉଦ୍ଧାର ହେଲା ବଜ୍ରକାପ୍ତା, କୋଭିଡ ଟେଷ୍ଟ ପରେ ଜଙ୍ଗଲରେ ଛଡ଼ାଯିବ

ଆଠଗଡ଼: ଆଠଗଡ଼ ବନଖଣ୍ଡରେ ପୁଣି ବଜ୍ରକାପ୍ତା ଉଦ୍ଧାର । ଗତକାଲି ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜ ଅଞ୍ଚଳରେ ଥିବା ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ମହୁଲିଆ ସରପଞ୍ଚଙ୍କ ସୂଚନା ଅନୁସାରେ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଆଠଗଡ଼ ବନବିଭାଗ । ବଜ୍ରକାପ୍ତା ଟିର ୪ କିଲୋ ଓଜନ ହୋଇଥିବାବେଳେ ଏବେ ସେ ସୁସ୍ଥ ଅଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ।

ଯେହେତୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଧରାପଡିଛି ତେଣୁ ତାର କରୋନା ପରୀକ୍ଷା ମଧ୍ୟ କରାଯିବ । ତେବେ ବଜ୍ରକାପ୍ତାଟି କିପରି କ୍ୱାରେଣ୍ଟାଇନ ସେଣ୍ଟରକୁ ଆସିଲା ସେ ବାବଦରେ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ । ଅନ୍ୟପଟେ ଆଠଗଡ଼ ବନଖଣ୍ଡରେ ପୁଣି ସକ୍ରିୟ ହୋଇଛନ୍ତି ବଜ୍ରକାପ୍ତା ରାକେଟ । ଗତ ୪ ମାସ ଭିତରେ ତିନିଟି ଜୀବନ୍ତ ଓ ଗୋଟିଏ ମତ ବଜ୍ରକାପ୍ତା ସହ ଅନେକ କାତି ଉଦ୍ଧାର କରାଯାଇଛି ।

ବଜ୍ରକାପ୍ତା ଚୋରା ଚାଲାଣରେ ଏବେ ସୁଦ୍ଧା ମୋଟ ୩୦ରୁ ଅଧିକ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ଦୁଇ ଦିନ ମଧ୍ୟରେ ୩ ଜଣଙ୍କୁ କଟକ ନୂଆପାଟଣା ମଧୁସୂଦନ ସେତୁ ନିକଟରୁ ଗିରଫ କରିଛି ଆଠଗଡ଼ ବନ ବିଭାଗ । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ହୋଇଥିବାବେଳେ ଆଉ ଦୁଇ ଜଣ କଟକ ଶିଖରପୁର ବୋଲି ଜଣାପଡିଛି । ତୃତୀୟ ଜଣକ ଅନୁଗୁଳର ବୋଲି ଜଣାପଡିଛି ।

Leave a Reply