ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

1 min read

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବେ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ କେଏମ ଯୋଶେଫଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପୀଠ କହିଛନ୍ତି- ଯଦି ବିରୋଧୀ ଦଳ ନେତା ନଥିବେ ତେବେ ଲୋକସଭାର ସବୁଠାରୁ ବଡ ବିରୋଧୀ ଦଳର ନେତା ଏହି ଭୂମିକା ନିର୍ବାହ କରିବେ । ପାର୍ଲାମେଣ୍ଟରେ ଏନେଇ ଏକ ଆଇନ ଗୃହିତ ହେବା ଯାଏ ଏହି ନିୟମ ବଳବତ୍ତର ରହିବ।

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସିଇସି ଓ ଇସିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥାନ୍ତି । ତାଙ୍କ କାର୍ଯ୍ୟକାଳ ୬ବର୍ଷ କିମ୍ବା ତାଙ୍କ ବୟସ ୬୫ ବର୍ଷ ହେବା ଯାଏ ଏହି ଦାୟିତ୍ବରେ ରହିବା ଲାଗି ବ୍ୟବସ୍ଥା ରହିଛି । ସିଇସି ଓ ଇସି ନିଯୁକ୍ତି କ୍ଷେତ୍ରରେ ଏକ କଲେଜିୟମ ସିଷ୍ଟମ କରିବା ଲାଗି ଆଗତ କେତେକ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମୁକ୍ତ ଓ ଅବାଧ ତଥା ସାମ୍ବିଧାନିକ ଫ୍ରେମଓ୍ବର୍କ ମଧ୍ୟରେ ଉଭୟ ସିଇସି ଓ ଇସି କାର୍ଯ୍ୟ କରିବା ଲାଗି ନିଜ ରାୟରେ ସୁପ୍ରିମକୋର୍ଟ ଦେଇଛନ୍ତି ପରାମର୍ଶ ।