ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ, ମଠ ମନ୍ଦିରର ପବିତ୍ରତା ପାଇଁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ମଠ ଭଙ୍ଗାଯିବା ଅଭିଯୋଗ ସମ୍ପର୍କରେ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପାଣ୍ଡିଆନଙ୍କ ଶକ୍ତ ଜବାବ। ସୋସିଆଲ ମିଡିଆରେ ପାଣ୍ଡିଆନ ଏକ ଭିଡିଓ ଜାରି କରି ମହାପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦେବେ ବୋଲି ଆଶା କରିଛନ୍ତି ।

ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପିର ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି,ତା’ଉପରେ ଉତ୍ତର ଦେବାକୁ ଯାଇ ପାଣ୍ଡିଆନ ଭିଡିଓ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ପୁରୀରେ ମଠ ଭଙ୍ଗା ଯାଇଥିବା ଅଭିଯୋଗ ଆଣିଥିଲେ। ଏହାର ଉତ୍ତର ଦେଇ ପାଣ୍ଡିଆନ କହିଛନ୍ତି ଯେ, ପୁରୀରେ କୌଣସି ମଠ ଭଙ୍ଗା ଯାଇନାହିଁ । ଓଲଟା ଅପବିତ୍ର ସ୍ଥାନରେ ଥିବା ମଠ ଓ ମନ୍ଦିରର ପବିତ୍ରତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି।

ମଙ୍ଗୁ ମଠର ଉଦାହରଣ ଦେଇ ପାଣ୍ଡିଆ କହିଛନ୍ତି ଯେ, ମଙ୍ଗୁ ମଠ ଉପରେ ଗୋଟିଏ ଶୌଚାଳୟ ଥିଲା । ସେହିଭଳି ଏହା ପାଖରେ ଗୋଟିଏ ଜୋତା ଦୋକାନ ମଧ୍ୟ ଥିଲା । ସେହି ସ୍ଥାନରୁ ଶୌଚାଳୟ ଓ ଜୋତା ଦୋକାନ ଉଠାଇ ମଠର ପବିତ୍ରତା ରକ୍ଷା କରାଯାଇଛି। ମଙ୍ଗୁ ମଠ ଭଳି ପବିତ୍ର ସ୍ଥାନ ଯେଉଁଠାରେ ଗୁରୁ ନାନକ ଭଗବାନ ଜଗନ୍ନାଥଙ୍କ ଆରାଧନା କରିଥିଲେ, ତାହାର ପୁନରୁଦ୍ଧାର କେମିତି ଐତିହ୍ୟର ଅପମାନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।