ସକାଳୁ ସକାଳୁ ପୁରୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ

1 min read

ପୁରୀ: ପୁରୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଚାରିପଟ ବୁଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ଶ୍ରୀ ମାର୍ଗ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିବା ବେଳେ, ନୂତନ କରି ଶ୍ରୀମନ୍ଦିର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସେଡେଡ୍ ଚଲାପଥ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯିବାକୁ ଥିବା ବିଶ୍ରାମ ସ୍ଥଳୀ ବୁଲି ଦେଖିବା ସହ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି 5T ଅଧ୍ୟକ୍ଷ । ବଡ଼ଦାଣ୍ଡରେ ନିର୍ମାଣ ହେଉଥିବା ଶୀତ ତାପ ସେଡେଡ୍ ଚଲାପଥରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯାଉଥିବା ବିଶ୍ରାମ ଗୃହରେ ଅବସ୍ଥାନ କରିବେ । ସେହିପରି ଶ୍ରୀମନ୍ଦିର ନିକଟରେ ଗତ ସପ୍ତାହରେ ଅଧିଗ୍ରହଣ ହୋଇଥିବା ନରେନ୍ଦ୍ର ମହଲା ଜମିରେ ଏକ ପାର୍କିଂ ନିର୍ମାଣ ସମ୍ପର୍କରେ ମଧ୍ୟ ବୁଲି ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି 5T ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ।