ପଞ୍ଚାୟତ ନିର୍ବାଚନ: ଆଶାୟୀଙ୍କ ଲବି, ଛକାପଞ୍ଝା ଭିତରେ ବିନ୍ଧିଲାଣି ନେତାଙ୍କ ମୁଣ୍ଡ

1 min read

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପଞ୍ଚାୟତ ଭୋଟ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହୋଇଛି। ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ। ଗାଁ ଗଣ୍ଡାରେ ରାଜନୈତିକ ପାଣିପାଗ ବେଶ୍ ତତଲା ହୋଇଛି। ଆଶାୟୀ ପ୍ରାର୍ଥୀମାନେ ଦଳୀୟ ସମର୍ଥନ ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି। ଅବଶ୍ୟ କେବଳ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ପଦବି ପାଇଁ ଦଳୀୟ ଚିହ୍ନ ମିଳିବ ନାହିଁ। ମାତ୍ର ଚିହ୍ନ ନମିଳିଲେ ବି ଦଳର ସମର୍ଥନ ପାଇବାକୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଲବି ରାଜନୀତି।

ନିଜ ଅଞ୍ଚଳର ବିଧାୟକ, ପ୍ରଭାବଶାଳୀ ନେତାଙ୍କ ସମର୍ଥନ ହାତେଇବାକୁ ଇଛୁକ ପ୍ରାର୍ଥୀମାନେ ଲବି ରାଜନୀତିକୁ ଜୋରଦାର କରିଛନ୍ତି। ଶାସକ ବିଜେଡି ସହ ବିଜେପି ଓ କଂଗ୍ରେସରୁ ଟିକଟ ପାଇବାକୁ ଏବେ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ନିଜ ସମର୍ଥକଙ୍କୁ ଧରି ଆଶାୟୀମାନେ ମେଳି ବାନ୍ଧିଲେଣି। ବିଧାୟକ ଓ ମନ୍ତ୍ରୀଙ୍କ ନିକଟରେ ଚକ୍କର କାଟିଲେଣି। ସେହିଭଳି ବିଜେପି ଓ କଂଗ୍ରେସ ନେତାଙ୍କ ଆଶୀର୍ବାଽରେ ଟିକଟ ହାତେଇବାକୁ ଆଶାୟୀ କମର କଷିଛନ୍ତି।

ଆଶାୟୀଙ୍କ ସଂଖ୍ୟା ଯେତିକି ବଢ଼ି ବଢ଼ି ଚାଲିଛି। ସ୍ଥାନୀୟ ନେତାମାନେ ଏବେ ସେତିକି ଟେନ୍ସନରେ। ମୁଣ୍ଡବ୍ୟଥା ଆରମ୍ଭ ହେଲାଣି। କାହାକୁ ସମର୍ଥନ ଦେବେ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ଛିଡ଼ା ହୋଇ ବାଜି ମାରିନେଲେ କ’ଣ ହେବ ରଣକୌଶଳ? ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଆଖିରେ ରଖି ଜିଲ୍ଲାସ୍ତରୀୟ ନେତାମାନେ ଗୋଟି ଚାଳନା ଆରମ୍ଭ କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ର କହୁଛି, ଆସନ୍ତା ଫେବ୍ରୁଆରୀ ୧୨ରୁ ଅନୁଷ୍ଠିତ ହେବ ତୃଣମୂଳସ୍ତରର ରାଜନୀତି ମହାପର୍ବ ପଞ୍ଚାୟତ ଭୋଟ। ଏ ଭୋଟ୍ ଓଡ଼ିଶାକୁ ଆଖିରେ ରଖି ଆଶାୟୀମାନେ ପ୍ରାୟ ବର୍ଷକ ତଳୁ ବେଶ କସରତ ଆରମ୍ଭ କରିଛନ୍ତି। ବିଧିବଦ୍ଧ ଭାବେ ରାଜନୀତିର ଏ ପ୍ରଥମ ପାହାଚ ଚଢ଼ିବାକୁ ଆଶାୟୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ମାତ୍ର ଏ ରାଜନୈତିକ କ୍ୟାରିୟର ଗଢ଼ିବାକୁ ସଂରକ୍ଷଣ ତାଲିକା ବେଶ ଗୁରୁତପୂର୍ଣ୍ଣ। ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବହୁ ଆଶାୟୀ ଉତ୍ସାହିତ ଥିଲା ବେଳେ ଅନେକ ନିରାଶ ଏବଂ ଅସନ୍ତୋଷ ଜୋର୍ ଧରିଛି। ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପରେ ଦଳୀୟ ସମର୍ଥନ ପାଇଁ ଏବେ ଆଶାୟୀମାନେ ନିଜ ଅଞ୍ଚଳର ଦଳୀୟ ନେତାଙ୍କ ଘରେ ଡେରା ପକାଇଛନ୍ତି।

ରାଜ୍ୟରେ ୬୭୯୮ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସହ ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ ହେବ। ସେହିଭଳି ୯୨ ହଜାର ୱାର୍ଡମେମ୍ବର ସହ ୩୧୪ ବ୍ଲକ ଅଧକ୍ଷ ଏବଂ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏ ସବୁ ପଦବିରେ ଲଢ଼ିବାକୁ ସଂରକ୍ଷଣ ତାଲିକା ଜାରି ହେବା ପରେ ନିର୍ବାଚନ କମିଶନର ଭୋଟର ତାଲିକା ଚୂଡ଼ାନ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଡିସେମ୍ବର ୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପଞ୍ଚାୟତ ଭୋଟକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ଧରିଛି।

ପ୍ରାର୍ଥୀ ଚୟନ ପାଇଁ ଢେର ସମୟ ଥିଲା ବେଳେ ଏବେଠାରୁ କିନ୍ତୁ ଛକି-ଶୂନ ଖେଳ ଆରମ୍ଭ ହୋଇଛି। ଆଶାୟୀଙ୍କ ମଧ୍ୟରୁ କିଏ ସେ ଅଙ୍କ ଛିଣ୍ଡୁନି। ଜଣେ ସୁପାରିଶ କଲା ବେଳକୁ ଆଉ ଜଣେ ବିରୋଧ କରୁଛି। କିଏ ଲବି ଜୋରଦାର କଲାଣି ତ, ଆଉ କିଏ ଲୋକବଳ ଦେଖାଇଲାଣି। ଏପରିକି ଟିକଟ ନପାଇଲେ ଆଉ କିଏ ଦଳତ୍ୟାଗ କରିବାକୁ ନାଲିଆଖି ମଧ୍ୟ ଦେଖାଉଛନ୍ତି। ଲାଗି ରହିଛି ଛକାପଞ୍ଝା।

 

ମାଳ ମାଳ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ନେତାଙ୍କ ମୁଣ୍ଡ ଘୂରିଲାଣି। ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଦଳୀୟ ଚିହ୍ନ ନଥିଲେ ମଧ୍ୟ ଶାସକ ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ଭିତିିରଆ ସମର୍ଥନ ଦେବେ। ତେଣୁ ଆଶାୟୀମାନେ ଗୋଟିଏ କ୍ୟାମ୍ପରୁ ନିରାଶ ହେଲେ ଅନ୍ୟ କ୍ୟାମ୍ପକୁ ଯିବାକୁ ଗୋଡ଼ ଟେକିଲେଣି। ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍ ପୂର୍ବରୁ ପ୍ରାର୍ଥୀ ଚୟନର ଝାମେଲା ନେତାଙ୍କ ରକ୍ତଚାପ ବଢ଼ାଇଛି।

ଆଶାୟୀ ପ୍ରାର୍ଥୀଙ୍କ ସହ ଦଳୀୟ ନେତାମାନେ ଘନ ଘନ ବୈଠକ କରୁଛନ୍ତି। ପାର୍ଥୀଙ୍କ ବିଜୟର ସମ୍ଭାବନାକୁ ଆକଳନ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନର ଫାଇନାଲ୍ ପୂର୍ବରୁ ଆସନ୍ତା ପଞ୍ଚାୟତ ଭୋଟ୍ ସେମିଫାଇନାଲ୍ ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ସର୍ବାଧକ ଗୁରୁତ୍ୱ ଦେଉଛନ୍ତି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ତିନି ଦଳ ଫୋକସ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଶାୟୀମାନେ କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। କଳି କେମିତି ତୁଟାଇବେ ତାହା ଏବେ ନେତାଙ୍କ ପାଇଁ ପ୍ରଚଣ୍ଡ ଆହ୍ୱାନ ଛିଡ଼ା କରାଇଛି।

Leave a Reply