ପଞ୍ଚାୟତ ନିର୍ବାଚନକୁ ନେଇ ଶେଷ ହୋଇଛି ସଂରକ୍ଷଣ ଅଙ୍କ କଷା, ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା
1 min read
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି। ଶେଷ ହୋଇଛି ସଂରକ୍ଷଣ ଅଙ୍କ କଷା। ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା। ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇବ। ୩୦ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ରାଜ୍ୟ ସରକାର ଚୂଡ଼ାନ୍ତ ତାଲିକା ଦେବେ। ୯୨ ହଜାର ଓ୍ୱାର୍ଡ ମେମ୍ବର, ୬ ହଜାର ୮୦୦ ସରପଞ୍ଚ ଓ ସମିତସଭ୍ୟଙ୍କ ତାଲିକା ଜିଲ୍ଲାପାଳମାନେ ନିର୍ବାଚନ ଆୟୋଗଙ୍କୁ ଦେବେ। ଆସନ୍ତା ୩୦ ତାରିଖରେ ଜିଲ୍ଲା ପରିଷଦର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କୁ ଦେବେ। ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ହେବ। ଆସନ୍ତା ଫେବ୍ରୁଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜାରି ରହିଛି।
ସେପଟେ ପଞ୍ଚାୟନ ନିର୍ବାଚନକୁ ହାତେଇବା ପାଇଁ ୩ ପ୍ରମୁଖ ଦଳ ଅଣ୍ଟା କଷିଛନ୍ତି। ଏବେ ସହରରୁ ଗାଁ ମୁହାଁ ରାଜନେତା। ନିଜ ସଂଗଠନକୁ ମଝବୁତ କରିବାକୁ ଦେଉଛନ୍ତି ମନ୍ତ୍ର।ପଞ୍ଚାୟତ ନିର୍ବାଚନ ଦାୟିତ୍ୱ ତୁଲାଇବା ପାଇଁ ଛାତ୍ର ଓ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ଦିଆଯିବ ଟ୍ରେନିଂ। ଆଜି ଯୁବ ଓ ଆସନ୍ତାକାଲି ଛାତ୍ର ବିଜେଡି ସଂଗଠନର ପ୍ରଶିକ୍ଷଣ ଶିବିର। ପୁରୀରେ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ଲକସ୍ତରୀୟ ବିଜେଡି ଯୁବ ଓ ଛାତ୍ରନେତାଙ୍କୁ ଦିଆଯିବ ଟ୍ରେନିଂ।
ଦୁଇ ଦିନ ଯାକ ଭର୍ଚୁଆଲରେ ଯୁବ ଓ ଛାତ୍ର ବିଜେଡିକୁ ଟିପସ୍ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିଜିଟାଲ ମାଧ୍ୟମରେ ଲୋକଙ୍କୁ ଯୋଡ଼ି ଘରେ ଘରେ ଫାଇଭ୍-ଟିର ସଫଳତା ଦେଖାଇବା ନେଇ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ଥର ପାଇଁ ଦଳର ସମସ୍ତ ୩୧୪ ବ୍ଲକ ସଭାପତି ଓ ୧୧୯ ପୌର ସଭାପତିଙ୍କୁ ଦିଆଯିବ ଟ୍ରେନିଂ । ପଞ୍ଚାୟତ ନିର୍ବାଚନରେ ଯୁବ ଓ ଛାତ୍ର ଗୋଷ୍ଠୀର ବଡ଼ ଭୂମିକା ରହିଛି । ସେମାନଙ୍କୁ ନେଇ ବିଜୟର ରୋଡମ୍ୟାପ ପ୍ରସ୍ତୁତ କରିବ ବିଜେଡି ।