ସରକାର ବଦଳିବା ପରେ ପଞ୍ଚାୟତ ପ୍ରତିନିଧିଙ୍କ କଥା ଶୁଣୁନି ବ୍ଲକ ପ୍ରଶାସନ

କଟକ: ସରକାର ବଦଳିବା ପରେ ବଦଳି ଯାଇଛି ପ୍ରଶାସନିକ ଅଧିକାରୀଙ୍କ ଭାବ । ଜନ ପ୍ରତିଧିନିଙ୍କୁ କୁରୁ ନାହାନ୍ତି ଖାତିର । ପଞ୍ଚାୟତ ପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି । ଏମିତି କିଛି ଅଭିଯୋଗ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପରିସରରେ ଧାରଣା ଦେଇଛନ୍ତି ୩୭ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ । ଏପରିକି ଖୋଦ ବ୍ଲକ ଚେୟାରମ୍ୟାନ ଦୀପା ମଲିକ ମଧ୍ୟ ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ନୂଆ ସରକାର ଆସିବା ଦିନଠାରୁ ବ୍ଲକରେ କୌଣସି ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ । ପୁରୁଣା କାମର ବିଲ ଉଦ୍ଦେଶ୍ୟ ମୂଳକ ଭାବରେ ଅଟକାଇ ରଖାଯାଉଥିବା ଧାରଣାରେ ବସିଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ଅଭିଯୋଗ କରିଛନ୍ତି ।

ଦୀପା ବ୍ଲକ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବିଭିନ୍ନ ପଞ୍ଚାୟତର ପ୍ରତିନିଧିଙ୍କ ସହ ଧାରଣାରେ ବସିବା ସହ ନୂଆ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଦୀପା କହିଛନ୍ତି, ବ୍ଲକ ପ୍ରଶାସନ କିଛି ଶୁଣୁ ନାହାନ୍ତି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବ୍ଲକ ଅଧ୍ୟକ୍ଷା, ୪ ଜିଲ୍ଲା ପରିଷଦ ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି । ଧାରଣା ସ୍ଥଳରେ ମାହାଙ୍ଗା ପୋଲିସ ସହିତ ଏସଡିପିଓ ବିରଞ୍ଚି ନାରାୟଣ ପତି ପହଞ୍ଚି ଜନ ପ୍ରତିନିଧିଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।