ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ, ଲାଗୁ ହେଲା ଆଚରଣ ବିଧି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇଲା ତାରିଖ । ପାଞ୍ଚୋଟି ପର୍ଯ୍ୟାୟରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ ।  ସକାଳ ୭ରୁ ଅପରାହ୍ନ ୧ ଯାଏଁ ପଡିବ ଭୋଟ  । ଫେବୃଆରୀ ୧୬,୧୮,୨୦, ୨୨, ୨୪ରେ ତାରିଖରେ ଭୋଟ ଗ୍ରହଣ କରାଯିବ  ।  ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି କରାଯିବ ।  ଜାନୁଆରୀ ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ  । ୨୨ ଜାନୁଆରୀରେ ପ୍ରାର୍ଥୀପତ୍ର ହେବ ଯାଞ୍ଚ   । ୨୫ ଜାନୁଆରୀରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ  ।ଏନେଇ ପ୍ରେସମିଟ୍‌ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢୀ  ।

ସେପଟେ ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି ପ୍ରଥମ ପର୍ଯ୍ୟାରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ, ୨୦୨ ଜିଲ୍ଲା ପରିଷଦ ଜୋନ୍‌, ୧୬ଶହ ୬୯ଟି ପଞ୍ଚାୟତ ଓ ୨୨ହଜାର ୩୭୯ ବୁଥ୍‌ରେ ନିର୍ବାଚନ ହେବ । ଦ୍ବିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ଟି ବ୍ଲକ, ୧୮୬ ଜିଲ୍ଲା ପରିଷଦ ଜୋନ୍‌, ୧୫୧୪ ଗ୍ରାମପଞ୍ଚାୟତ ଓ ୨୦ହଜାର ୪୩୬ ବୁଥ୍‌ରେ ଭୋଟ୍‌ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକ, ୧୭୧ ଜିଲ୍ଲା ପରିଷଦ, ୧୩୮୨ ଗ୍ରାମପଞ୍ଚାୟତ, ୧୮୪୯୫ ବୁଥ୍‌ରେ ଭୋଟ୍ ହେବ ।

ଚତୁର୍ଥ ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକ, ୧୬୩ ଜିଲ୍ଲା ପରିଷଦ, ୧୨୫୪ ଗ୍ରାମପଞ୍ଚାୟତ, ୧୭୮୯ ବୁଥ୍‌ରେ ଭୋଟ୍ ଗ୍ରହଣ ହେବ । ପଞ୍ଚମ ପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକ, ୧୩୧ ଜିଲ୍ଲା ପରିଷଦ, ୯୭୫ ଗ୍ରାମପଞ୍ଚାୟତ, ୧୩୫୧୪ ବୁଥ୍‌ରେ ଭୋଟ୍ ହେବ । ପ୍ରତ୍ୟକ୍ଷ ନିର୍ବାଚନ ସରିବା ପରେ ୧୧ମାର୍ଚ୍ଚରେ ନାଏବ ସରପଞ୍ଚ, ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୨୩ ମାର୍ଚ୍ଚରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ୨୫ମାର୍ଚ୍ଚରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ । କରୋନା କଟକଣାରେ ହେବ ମତଦାନ ।

କୋଭିଡ କଟକଣାରେ ନିର୍ବାଚନ ଆହୁତ କରିବା ନେଇ କମିଶନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ସଭା, ସମିତି, ଶୋଭାଯାତ୍ରା, ସାଇକେଲ୍‌ ଓ ବାଇକ୍‌ ରାଲିକୁ ଅନୁମତି ନାହିଁ । ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କ ସମାବେଶ ନିଷିଦ୍ଧ କରାଯାଇଛି । କେବଳ ୫ଜଣଙ୍କୁ ଧରି ପ୍ରାର୍ଥୀ ଡୋର୍‌ ଟୁ ଡୋର୍‌ ବୁଲି ପ୍ରଚାର କରିପାରିବେ । କୋଭିଡ୍‌ ଦୃଷ୍ଟିରୁ ଡିଜିଟାଲ୍‌, ଭର୍ଚୁଆଲ୍‌ ମୋବାଇଲ୍‌କୁ ପ୍ରଚାରର ମାଧ୍ୟମ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟ୍‌ ଗଣତି ପରେ ପ୍ରାର୍ଥୀଙ୍କ ବିଜୟ ଶୋଭାଯାତ୍ରାକୁ ବାରଣ କରାଯାଇଛି । କୌଣସି ରାଜନୈତିକ ଦଳ ମାର୍ଗଦର୍ଶିକାର ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସେପଟେ କରୋନା ଟିକାର ଡବଲ୍ ଡୋଜ୍‌ ଓ ଆରଟିପିସିଆର୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ଦେଖାଇ ଭୋଟ୍‌ ଦେଇପାରିବେ । ପରିସ୍ଥିତି ଦେଖି କଟକଣା ନିଷ୍ପତ୍ତି ନିଆଯିବ ।

 

Leave a Reply