ଆଧାର ସହ ପାନ୍ ସଂଯୋଗ ବାଧ୍ୟତାମୂଳକ, ନହେଲେ ଗଣିବେ ୧୦ ହଜାର

ଭୁବନେଶ୍ୱର: ଏବେ ଆଉ ମୁକୁଳିବା ସହଜ ନୁହେଁ । ଆୟକର ଫାଙ୍କି ଖସିବା ମୁସ୍କିଲ । ବାରମ୍ବାର ଆୟକର ଫାଙ୍କୁ ଥିବା ଅଭିଯୋଗ ଆସିବା ପରେ ଆଧାର ଓ ପାନ୍ କାର୍ଡ ଲିଙ୍କ ନିୟମକୁ କଡାକଡି କରିଛନ୍ତି କେନ୍ଦ୍ର ସରକାର । ଏଣିକି ଉଭୟ କାର୍ଡକୁ ସଂଯୋଗ ନକଲେ ଦେବାକୁ ହେବ ୧୦ ହଜାର ଟଙ୍କା ଯାଏଁ ଜରିମାନା । ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯଦି କେହି ଆଧାର କାର୍ଡରେ ପାନ୍ କାର୍ଡ ସଂଯୋଗ ନକରନ୍ତି, ତେବେ ସଂପୃକ୍ତ ବ୍ୟକ୍ତି ଇନକମ ଟ୍ୟାକ୍ସ ଆକ୍ଟ ଆଧାରରେ ଦଣ୍ଡିତ ହେବେ ।

ସେପଟେ ଆଧାର ସହ ପାନ ଲିଙ୍କ ନହେଲେ ଜମି କିଣାବିକା ସହ ମ୍ୟୁଚଆଲ ଫଣ୍ଡ ପରି ଅନେକ ସମସ୍ୟା ଭୋଗିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ । ଅନେକ ବ୍ୟକ୍ତି ଆଧାର କାର୍ଡ ଜରିଆରେ ସରକାରୀ ସୁବିଧା ପାଉଛନ୍ତି । ପାନ୍ କାର୍ଡ ଲିଙ୍କ ନଥିବାରୁ ସେମାନଙ୍କ ଅର୍ଥନୀତିର ସଂପୂର୍ଣ୍ଣ ତଥ୍ୟ ସରକାରଙ୍କୁ ମିଳିପାରୁ ନାହିଁ । ଫଳରେ କାହାର ଇନକମ କେତେ, ଟ୍ୟାକ୍ସ ନିୟମିତ ଭରୁଛନ୍ତି କି ନାହିଁ ତାହା ଜାଣିବା ସହଜ ହେଉ ନାହିଁ ।

ସେହିପରି ଆଧାର ସହ ପାନ କାର୍ଡ ଲିଙ୍କ ନହେବା ଦ୍ୱାରା ଅନେକ କଳାଧନ କାରବାର ପଦାକୁ ଆସି ପାରୁନାହିଁ । ଆଗାମୀ ଦିନରେ ଏଭଳି ପ୍ରକ୍ରିୟା କରିବା ଦ୍ବାରା ଟିକସ ଫାଙ୍କୁଥିବା ବ୍ୟକ୍ତି ସଜାଗ ହୋଇଯିବେ ବୋଲି ମତପ୍ରକାଶ କରିଛନ୍ତି ବିଶେଷଜ୍ଞ । ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ ନହେଲେ ଆଗାମୀ ଦିନରେ ଦୁଇଟି ଯାକ କାର୍ଡ ଅକାମି ହେବାର ଅନେକ ସମ୍ଭାବନା ରହିଛି । ତେଣୁ କେନ୍ଦ୍ ସରକାରଙ୍କ ଏହି ନୂଆ ନୟମ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିବ ।

Leave a Reply