ଭାରତରେ ବ୍ୟାନ୍ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ
ନୂଆଦିଲ୍ଲୀ: ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟ ଭାରତରେ ବ୍ୟାନ । ଆଇନଗତ ଆବଶ୍ୟକତା ଓ ନିରାପତ୍ତା କାରଣରୁ ପାକ୍ ସରକାରଙ୍କ ଆକାଉଣ୍ଟକୁ ବ୍ୟାନ କରାଗଲା ବୋଲି ଭାରତ ପକ୍ଷରୁ କୁହାଯାଇଛି । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ୫ ବର୍ଷ ଲାଗି ବ୍ୟାନ ଲଗାଯିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ବିଦେଶୀ ଲିଙ୍କ, ଦେଶବିରୋଧୀ କାର୍ଯ୍ୟକଳାପ ଲାଗି ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ରେଡ କରିଥିଲା ଇଡି ଓ ଏନଆଇଏ । ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ପାକ୍ ସରକାରଙ୍କ ଆକାଉଣ୍ଟ ବ୍ୟାନ ହୋଇଥିଲା ।
ମାତ୍ର ପରେ ଏହା ଉପରୁ ନିଷେଧାଦେଶ ହଟାଯାଇଥିଲା । ଗତ ଜୁନରେ ଜାତିସଂଘ, ତୁର୍କୀ, ଇରାନ ଓ ଇଜିପ୍ଟସ୍ଥିତ ପାକିସ୍ତାନ ଦୂତାବାସର ଆକାଉଣ୍ଟକୁ ବ୍ୟାନ କରିଥିଲା ଟ୍ବିଟର । ପୂର୍ବରୁ ଗତ ଅଗଷ୍ଟରେ ପାକିସ୍ତାନରୁ ଅପରେଟ ହେଉଥିବା ୮ଟି ୟୁଟ୍ୟୁବ ଚାନେଲକୁ ନିଷିଦ୍ଧ କରିଥିଲା ଭାରତ । ଭାରତ ବିରୋଧରେ ପ୍ରୋପାଗଣ୍ଡା କରୁଥିବା ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଭାରତ ୧୦୦ଟି ୟୁଟ୍ୟୁବ ଚାନେଲ, ୪ଟି ଫେସବୁକ ପେଜ, ୫ଟି ଟ୍ବିଟର ଆକାଉଣ୍ଟକୁ ନିଷିଦ୍ଧ କରିଛି ଭାରତ ।