ପାକ୍ ସଂସଦ ବାଚସ୍ପତି ଭୁଲରେ ନୱାଜ୍ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କଲେ, କହିଲେ ମନରେ ଏବେବି ନୱାଜ୍

1 min read

ଇସଲାମାବାଦ: ପାକିସ୍ତାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ। ସୋମବାର ପାକିସ୍ତାନର ସଂସଦରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌। ପାକିସ୍ତାନର ନୂଆ ଶାସନ ମୁଖ୍ୟଙ୍କ ନାଁ ଘୋଷଣା କରିବାବେଳେ ବାଚସ୍ପତି ଭୁଲରେ ଶାହାବାଜଙ୍କ ସ୍ଥାନରେ ନୱାଜ୍ ସରିଫଙ୍କ ନାଁ ଘୋଷଣା କରିଦେଇଥିଲେ।

ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ୍‌ ତେହେରିକ-ଇ-ଇନସାଫ୍‌(ପିଟିଆଇ) ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଶାହ ମମ୍ମୋଦ୍ କୁରେଶିଙ୍କ ନାମ ଚୟନ କରାଯାଇଥିଲା। ହେଲେ ଇମ୍ରାନ୍‌ଙ୍କ ଦଳ ପିଟିଆଇର ଅଧିକାଂଶ ସଦସ୍ୟ ପାକିସ୍ତାନ ସଂସଦରୁ ଇସ୍ତଫା ଦେଇଥିଲେ। ଫଳରେ ଶାହ ମମ୍ମୋଦ୍ କୁରେଶି ପ୍ରତିଦ୍ୱନ୍ଦିତା କରିବାର ବାଟ ବନ୍ଦ ହୋଇଯାଇଥିଲା। ଉପବାଚସ୍ପତି କାସିମ ସୁରି ମଧ୍ଯ ଭୋଟିଂ ସମୟରେ ଇସ୍ଥଫା ଦେଇଥିଲେ । ଏହାପରେ ଶାହାବାଜଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ (PMLN)ର ବରିଷ୍ଠ ନେତା ଅୟାଜ୍‌ ସାଦ୍ଦିକ୍‌ ଗୃହର କାମଚଳା ବାଚସ୍ପତି ଭାବେ ଅଧ୍ୟକ୍ଷତା କରିଥିଲେ। ଏଥିପାଇଁ ଏକ କମିଟି ଗଠନ ହୋଇ ସାଦ୍ଦିକ୍‌ଙ୍କ ନାମ ଚୟନ କରାଯାଥିଲା। । ଅବିଶ୍ୱାସ ଭୋଟ୍‌ ସପକ୍ଷରେ ୧୭୪ ସଦସ୍ୟ ମତଦାନ କରିଥିଲେ। ଫଳରେ ଇମ୍ରାନ୍‌ଙ୍କ ବିରୋଧରେ ବହୁମତ ଆସିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ଚାଲିଯାଇଥିଲା।

ଭୋଟ୍‌ ଗ୍ରହଣ ପରେ ସାଦ୍ଦିକ୍‌ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିବାବେଳେ ସେ ଭୁଲରେ ଶାହବାଜଙ୍କ ବଦଳରେ ନୱାଜ ସରିଫ୍ ନୂଆ ପ୍ରଧାନମନ୍ତ୍ରୀ ବୋଲି କହିଦେଲେ। ଏହାପରେ ସଂସଦ ତାଳିରେ ଫାଟିପଡ଼ିଲା। ମାହୋଲ ଟିକେ ହାଲକା ହୋଇଗଲା । ଏହାପରେ ସେ କ୍ଷମା ମାଗିଥିଲେ ଓ କହିଥିଲେ, ‘ମୋତେ କ୍ଷମା କରିବେ, ବାସ୍ତବରେ ମୋ ମନରେ ନୱାଜ୍ ସରିଫ୍ ଘର କରିନେଇଛନ୍ତି, ସେଥିପାଇଁ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ହିଁ ପାଟିକୁ ଆସିଯାଉଛି।’ ଏହାପରେ ସେ ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ବୋଲି ଘୋଷଣା କରିଥିଲେ।

ସେପଟେମ୍ବର ୧୯୫୧ରେ ଲାହୋରରେ ଶାହାବାଜଙ୍କ ଜନ୍ମ। ସେ ବଡ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ରାଜନୀତିରେ ପାଦ ଥାପିଥିଲେ। ଶାହାବାଜ ୧୯୮୮ରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୮ରେ ଦ୍ବିତୀୟ ଓ ୨୦୧୩ରେ ତୃତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶାହାବାଜ।