ସ୍ତ୍ରୀକୁ ମାରି ୬ ପିଲାଙ୍କ ଆଗରେ କଡ଼େଇରେ ସିଜାଇଲା ସ୍ବାମୀ

1 min read

କରାଚୀ: ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣା ମନେ ଅଛି କି ନାହିଁ । ଭୁଲିବେ ବା କେମିତି । ଆପଣଙ୍କ ଜୀବନରେ ଏମିତି ଲୋମହର୍ଷଣ ହତ୍ୟା କେବେ ଦେଖି ନଥିବେ । ହେଲେ ଆଜି ଏଠାରେ ଏମିତି ଏକ ହତ୍ୟା ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ଓ ଆପେ ଆପେ କହି ପକାଇବେ ‘ଓଃ କି ଜଘନ୍ୟ’ । ଘଟଣା ପାକିସ୍ତାନର । ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀକୁ ହତ୍ୟା କରିବା ପରେ କଡ଼େଇରେ ସିଜାଇବା ଘଟଣା ଆସିଛି ସାମ୍ନାକୁ । ସେତିକି ନୁହେଁ, ହତ୍ୟାଠାରୁ ଆହୁରି ଭୟଙ୍କର ଥିଲା ଏହାର ପରବର୍ତ୍ତି ଦୃଶ୍ୟ । ବ୍ୟକ୍ତି ଜଣଙ୍କ ସ୍ତ୍ରୀକୁ ସିଜାଇବା ବେଳେ ସେଠାରେ ଉପସ୍ଥିତି ଥିଲେ ତାଙ୍କ ୬ ପିଲା ।

ଘଟଣା ପାକିସ୍ତାନର । ନିର୍ଜନ ସ୍ଥାନରେ ଥିବା ଏକ ସ୍କୁଲରେ ଘଟିଛି ଏହି ରୁମ ଟାଙ୍କୁରା ହତ୍ୟା । ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଯାଞ୍ଚ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ୩ ପିଲାଙ୍କୁ ଧରି ଫେରାର ହୋଇଯାଇଛି ।

ଖବର ଅନୁସାରେ କରାଚୀ ନିକଟ ଗୁଲସନ-ଏ-ଇକବାଲ ଅଞ୍ଚଳ ରହିଛି । ଏଠାରେ ଥିବା ନିର୍ଜନ ସ୍ଥାନରେ ଏକ ସ୍କୁଲ ରହିଛି । ଏହି ସ୍କୁଲରେ ଆଶିକ ହୁସେନ, ପତ୍ନୀ ନରଗିସ ଏବଂ ୬ ପିଲା ରୁହୁଥିଲେ । ସ୍କୁଲଟି ବହୁତ ଦିନ ହେବା ବନ୍ଦ ପଡ଼ିଥିବା ବେଳେ ଏହାର ମାଲିକ ଦେଖାରଖା ପାଇଁ ଆଶିକଙ୍କୁ ସେଠାରେ ରଖିଥିଲେ ।

ରାତି ୩ଟାରେ ସବୁ ଶୋଇଥିବା ବେଳେ ଆଶିକଙ୍କ ବଡ଼ ଝିଅ କାହାର ଚିତ୍କାର ଶୁଣି ନିଦରୁ ଉଠିଯାଇଥିଲେ । ଶବ୍ଦଟି ତାଙ୍କ ବାପାମାଆଙ୍କ ରୁମରୁ ଆସିଥିବା ଜାଣିବା ପରେ ସେ ସେଠାକୁ ଯାଇ ଏକ ହୋଲରେ କ’ଣ ହୋଇଛି ଦେଖିବାକୁ ଚାହିଁଥିଲେ । ତେବେ ସେ ଯାହା ଦେଖିଥିଲେ ତାଙ୍କ ଛାତି ଥରାଇ ଦେଇଥିଲା । ରୁମରେ ତାଙ୍କ ବାପା ମାଆଙ୍କ ମୁହଁରେ ତକିଆ ପକାଇ ମାଡ଼ି ବସିଥିଲେ ଓ ମାଆ ନରଗିସ୍ ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ । ହେଲେ କିଛି ସମୟ ପରେ ତାଙ୍କ ଚିତ୍କାର ନିରବତାରେ ପରିଣତ ହୋଇଯାଇଥିଲା । ଏହା ଦେଖିବା ପରେ ଝିଅଟି ଅଚେତ ହୋଇଯାଇଥିଲା । ପ୍ରାୟ ୩ ଘଣ୍ଟା ପରେ ଚେତା ଆସିବା ପରେ ସେ ଏନେଇ ଅନ୍ୟ ୫ ଭାଇଭଉଣୀଙ୍କୁ ଜଣାଇବା ସହ ସେମାନଙ୍କୁ ଘର ବାହାରକୁ ନେଇ ଆସିଥିଲେ । ହେଲେ ପିଲାମାନେ ଜାଣି ନଥିଲେ ଘର ବାହାରେ ମାଆଙ୍କୁ ନେଇ ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ସେମାନଙ୍କୁ ଅପେକ୍ଷା କରିଛି ।

ଘରୁ ବାହାରକୁ ଆସିବା ପରେ ପିଲାମାନେ ସ୍କୁଲ କ୍ୟାଣ୍ଟିନରେ କେହି କିଛି ରୋଷେଇ କରୁଥିବା ଜାଣିବାକୁ ପାଇଥିଲେ । ଅନ୍ୟମାନଙ୍କୁ ଅଟକାଇ ବଡ଼ ଝିଅ କ୍ୟାଣ୍ଟିନ ଭିତରକୁ ପ୍ରବେଶ କରିବା ପରେ ତାଙ୍କ ପାଦରୁ ମାଟି ଖସି ଯାଇଥିଲା । ବାପା ରକ୍ତ ଜୁଡୁବୁଡ଼ ଅବସ୍ଥାରେ କ୍ୟାଣ୍ଟିନ କଡେଇରେ ମାଆଙ୍କୁ ସିଜାଉଥିବା ଦେଖିବାକୁ ପାଇଥିଲେ । ପାଖରେ ଏକ କଟା ଗୋଡ଼ ପଡିଥିଲା । ଏହି ସମୟରେ ଆଶିକଙ୍କ ନଜର ଝିଅ ଉପରେ ପଡ଼ି ଯାଇଥିଲା । ବାପା ଦେଖି ଦେବା ପରେ ଅନ୍ୟ ଭାଇଭଉଣୀଙ୍କୁ ନେଇ ଝିଅଟି ସେଠାରୁ ଦୌଡ଼ି ପଳାଇଥିଲା । ଏହାପରେ ପିଲାମାନେ ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ।

ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବେଳକୁ କ୍ୟାଣ୍ଟିର ଭାଟି ଜଳୁଥିଲା ଓ ସେଥିରେ ନରଗିସଙ୍କ ମୃତଦେହ ସିଜୁଥିଲା । ଏହାରି ଭିତରେ ଆଶିକ ୩ ଜଣ ପିଲାଙ୍କୁ ନେଇ ଫେରାର ହୋଇଯାଇଥିଲା । ପୋଲିସ୍ ମହିଳାଙ୍କ ହାତ ଧରି ବାହାର କରିବାକୁ ଚେଷ୍ଟା କରିବା ବେଳେ ହାତଟି ବାହାରି ଆସିଥିଲା ।

ପୋଲିସ ଅନୁସାରେ ଆଶିକ ପ୍ରତିଦିନ ମଦ ପିଉଥିଲା । ହେଲେ ମଦ ପିଇବା ପାଇଁ ଅର୍ଥାଭାବ କାରଣରୁ ସେ ନରଗିସଙ୍କୁ ବେଶ୍ୟାବୃତ୍ତିରେ ଲଗାଇବାକୁ ବାଧ୍ୟ କରୁଥିଲା । ପ୍ରତିଦିନ ସେ ସାଙ୍ଗମାନଙ୍କୁ ଘରକୁ ଆଣୁଥିଲା ଓ ନରଗିସଙ୍କୁ ତାଙ୍କ ସହ ରାତି କାଟିବାକୁ କହୁଥିଲା । ଯାହାକୁ ନରଗିସ ବିରୋଧ କରୁଥିଲେ ।