ସିଡନି ବିମାନବନ୍ଦରରେ ନିଜ ସାମାନ ନିଜେ ଟ୍ରକରେ ଲୋଡ୍ କଲେ ପାକିସ୍ତାନୀ ଖେଳାଳି !

ସିଡନି: ଅଷ୍ଟ୍ରେଲିଆ ସହ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ଖେଳିବାକୁ ସିଡନିରେ ପହଞ୍ଚିଛି ପାକିସ୍ତାନ କ୍ରିକେଟ୍ ଟିମ୍ । ଏୟାରପୋର୍ଟରେ ପହଞ୍ଚିବା ପରେ ପାକିସ୍ତାନୀ ଟିମକୁ ଏମିତି ଏକ ସରପ୍ରାଇଜ୍ ଅପେକ୍ଷା କରିଥିଲା ଯାହା କେବେ କୌଣସି ଟିମ୍ ମେମ୍ବର ଚିନ୍ତା କରି ନଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପାକିସ୍ତାନୀ ଟିମ୍ ଏୟାରପୋର୍ଟରେ ନିଜ ଜିନିଷପତ୍ର ଟ୍ରକରେ ନିଜେ ଲଦୁଥିବା ଦେଖିବାକୁ ମିଳୁଛୁ ।

ଦିନିକିଆ ବିଶ୍ବକପରେ ଶୋଚନୀୟ ପ୍ରଦର୍ଶନ ପରେ ନୂଆ ଅଧିନାୟକ ଶାନ ମସୁଦ ଅଧିନାୟକତ୍ବରେ ପାକିସ୍ତାନ ଟିମ୍ ଅଷ୍ଟ୍ରେଲିଆରେ ପହଞ୍ଚିଛି । ଟିମରେ ୧୮ ଖେଳାଳି, ୧୭ ସର୍ପୋଟିଂ ଷ୍ଟାଫ ସହିତ ମ୍ୟାନେଜମେଣ୍ଟ ସଦସ୍ୟ ଅଷ୍ଟ୍ରେଲିଆ ଯାଇଛନ୍ତି ।

ପାକିସ୍ତାନୀ ଖେଳାଳି ଲାହୋରରୁ ଦୁବାଇ ହୋଇ ସିଡନିରେ ପହଞ୍ଚିଛନ୍ତି । ସାଧାରଣତଃ କୌଣସି ଦେଶର ଖେଳାଳି ଏୟାରପୋର୍ଟରେ ପହଞ୍ଚିବା ପରେ ଉକ୍ତ ଦେଶର ଏମ୍ବାସିର କୌଣସି ପ୍ରତିନିଧି ସେଠାରେ ଉପସ୍ଥିତ ରହିବା କଥା । ହେଲେ ପାକିସ୍ତାନ ଟିମ୍ ପହଞ୍ଚିବା ବେଳକୁ ଇସଲାମାବାଦ ଏମ୍ବାସିର କୌଣସି ଅଧିକାରୀଙ୍କୁ ସେଠାରେ ଦେଖିବାକୁ ମିଳି ନଥିଲା । ଏପରିକି କ୍ରିକେଟ ଅଷ୍ଟ୍ରେଲିଆର କୌଣସି ଅଧିକାରୀ ବି ସେମାନଙ୍କୁ ସ୍ବାଗତ କରିବାକୁ ଉପସ୍ଥିତ ନଥିଲେ । ଏମିତି ସ୍ଥିତିରେ ପାକିସ୍ତାନ ଖେଳାଳି ଓ ଅଧିକାରୀ ନିଜ ଜିନିଷପତ୍ର ନିଜେ ଉଠାଇ ଟ୍ରକରେ ଲୋଡ କରିଥିଲେ ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ମହମ୍ମଦ ରେଜଓ୍ବାନ ଟ୍ରକରେ ଚଢ଼ିଛନ୍ତି । ସେ ଜଣ ଜଣ କରି ସାଥି ଖେଳାଳି ଓ ଅଧିକାରୀଙ୍କ ଜିନିଷପତ୍ର ଟ୍ରକରେ ଲଦୁଛନ୍ତି । ଅନ୍ୟ କିଛି ଖେଳାଳି ତାଙ୍କୁ ଜିନିଷ ଲଦିବାରେ ସାହାଯ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଡିସେମ୍ବର ୧୪ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ବିଶ୍ବକପରେ ଖରାପ ପ୍ରଦର୍ଶନ କାରଣରୁ ବାବର ଆଜମ ଅଧିନାୟକତ୍ବ ପଦରୁ ଇସ୍ତଫା ଦେଇ ଦେଇଥିଲେ । ବିଶ୍ବକପରେ ପାକିସ୍ତାନ ୯ଟିରୁ ମାତ୍ର ୪ଟି ମ୍ୟାଚ ଜିତି ଲିଗ୍ ରାଉଣ୍ଡରୁ ବାହାର ହୋଇ ଯାଇଥିଲା ।