ମୋ ଅଣଜେଜ ବାପା ହିନ୍ଦୁ ଥିଲେ,କେଉଁ ପାକିସ୍ତାନୀ କ୍ରିକେଟର ଏମିତି କହିଲେ ?
1 min read
ନନ୍ଦିଘୋଷ ବ୍ୟୁରୋ: ନିଜ ଚମତ୍କାର ବୋଲିଂ କୌଶଳ ଏବଂ ଅଫ୍ ସ୍ପିନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ପାକିସ୍ତାନୀ କ୍ରିକେଟର ସକଲେନ୍ ମୁସ୍ତାକ । ତାଙ୍କ ବୋଲିଂରେ ବି ଭଲ ଭଲ ବ୍ୟାଟ୍ସମ୍ୟାନ ଚକମା ଖାଇଯାଆନ୍ତି । ହେଲେ କ୍ରିକେଟ୍ ପିଚରେ ବଲକୁ ସ୍ୱିଙ୍ଗ୍ କରୁଥିବା ପାକିସ୍ତାନୀ କ୍ରିକେଟର ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ରୋଚକ ତଥ୍ୟର ଖୁଲାସା କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସାକଲେନ୍ ଏବେ ବିଭିନ୍ନ କ୍ରିକେଟ୍ ଡିସକସନ୍ , ବୋଲିଂ ଟିପ୍ସ ଦେବା ବେଳେ ନିଜ କ୍ରିକେଟ୍ କାହାଣୀ ମଧ୍ୟ କୁହନ୍ତି ।
ପାକିସ୍ତାନର ଏକ ଟିଭି ଶୋ’ର ଆଲୋଚନାରେ ସକଲେନ୍ ନିଜର ଭାରତ ସହ ସମ୍ପର୍କ ସମ୍ୱନ୍ଧରେ ନୂଆ କଥା ଖୁଲାସା କରିଛନ୍ତି । ସେ କହିଛନ୍ତି, ତାଙ୍କ ପରିବାର ଭାରତର ଅମୃତସରରେ ରହୁଥିଲେ ଏବଂ ତାଙ୍କ ଅଣଜେଜେ ବାପାଙ୍କ ନାଁ ରୁଡ଼ ସିଂହ ଥିଲା । ଯିଏ ପରେ ହିନ୍ଦୁରୁ ମୁସଲମାନ ହୋଇଯାଇଥିଲେ । ଏହି ଆଲୋଚନା ସମୟରେ ମୁସ୍ତାକ ନିଜ ପୁରା ପିଢି ବିଷୟରେ କହିଥିଲେ ଏବଂ ଦିଲ୍ଲୀର ଫେମସ୍ କରୀମ ହୋଟେଲର ଚିକେନ୍ ନୁରଜହାନୀର ରେସିପିର କାହାଣୀ ମଧ୍ୟ କହିଥିଲେ ।
ଅମୃତସର ଥିଲା ସକଲେନଙ୍କ ଗାଁ
ଚାମ୍ପିୟନ୍ସ ଟ୍ରଫିରେ ଭାରତ- ପାକିସ୍ତାନ ମ୍ୟାଚର ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୁସ୍ତାକ ନିଜ ଅତୀତରେ ହଜିଯାଇଥିଲେ । ଏହି ଆଲୋଚନାରେ ସକଲେନ୍ ଭାରତର ପ୍ରସିଦ୍ଧ କମେଡିଆନ କପିଲ ଶର୍ମାଙ୍କ ବିଷୟରେ କହିଥିଲେ କି, କପିଲ ଶର୍ମା ଆମ ଗାଁର ଅଟନ୍ତି । ତାଙ୍କ ସହ ଯେବେ ଦୁବାଇରେ ଦେଖା ହୋଇଥିଲା ସେତେବେଳେ ଆମେ ଏହି ବିଷୟରେ କଥା ହୋଇଥିଲୁ । ମୁଁ ତାଙ୍କୁ କହିଥିଲି କି ମୋ ଅଣ ଜେଜେ ରୁଡ୍ ସିଂ ହିନ୍ଦୁ ଥିଲେ ଏବଂ ସେ ସମୟରେ ଅମୃତସରରେ ରହୁଥିଲେ । ପରେ ସେ ମୁସଲମାନ ହୋଇ ଏଠାକୁ ଚାଲିଆସିଲେ । ସକଲେନ୍ ଆହୁରି ମଧ୍ୟ ତାଙ୍କ ବଂଶ ବଷୟରେ କହିଛନ୍ତି ଯେ, ରୁଡ୍ ସିଂ, ଉମଙ୍ଗଦୀନ, ମୁସ୍ତାକ ଅହମ୍ମଦ ତଥା ଆମେ ସଭିଏଁ ସେହି ଗାଁରେ ରହୁଥିଲୁ ।
ଦିଲ୍ଲୀରେ ଖାଇଥିଲେ ଚିକେନ୍ ନୁରଜାହାନୀ
ଏହା ପରେ ସକଲେନ୍ ତାଙ୍କ ଭାରତ ଗସ୍ତକୁ ମନେ ପକାଇଥିଲେ । ଆଉ କହିଥିଲେ କି, ଆମେ ଦିଲ୍ଲୀର ଅଲ୍ କରିମ୍ ରେଷ୍ଟୁରାଣ୍ଟ ଯାଇଥିଲୁ । ଏହା ବହୁତ ପୁରୁଣା । ରେଷ୍ଟୁରାଣ୍ଟର ଅତିଥି ସତ୍କାର ଚମତ୍କାର ଥିଲା । ମୋ ସ୍ତ୍ରୀ , ଚିକେନ୍ ନୁରଜାହାନୀ ଅର୍ଡର କରିଥିଲେ । ଏହା ବହୁତ ସ୍ୱାଦିଷ୍ଟ ଥିଲା । ଆମେ ଏହାର ରେସିପି ମାଗିଥିଲୁ ହେଲେ ସେ କହିବାକୁ ମନା କରିଦେଇଥିଲେ ।
ଏପରି କି ଭାରତର ହିସାରରେ ଥିବା ତାଙ୍କ ପୁରୁଣା ହବେଲି କଥା ମଧ୍ୟ କହିଥିଲେ, ଯାହା ଏବେ ଭାଙ୍ଗି ଛୋଟ ହୋଇଯାଇଛି । ୨୦୦୪-୨୦୦୫ ମସିହା ସମୟରେ ଭାରତ ଗସ୍ତ ବେଳେ ତାଙ୍କ ବାପା- ମା ସେହି ସ୍ଥାନରେ ରହିଥିଲେ ବୋଲି ସେ କହିଛନ୍ତି । ଭାରତୀୟଙ୍କ ସହ ଥିବା ତାଙ୍କ ପୁରୁଣା ସ୍ମୃତି ସବୁକୁ ମନେ ପକାଇଥିଲେ ।