‘ବେଶରମ ରଙ୍ଗ’କୁ ନେଇ ଆପତ୍ତି ଉଠାଇଲେ ପାକିସ୍ତାନୀ ଅଭିନେତା

ମୁମ୍ବାଇ: ଫିଲ୍ମ ‘ପଠାନ’ର ଗୀତ ‘ବେଶରମ୍ ରଙ୍ଗ’ ରିଲିଜ ହେବା ପରଠୁ ବେଶ ଚର୍ଚ୍ଚାରେ ରହିଛି । ଗୀତକୁ ନେଇ ଅନେକ ବାଦ ବିବାଦ ମଧ୍ୟ ସାମ୍ନାକୁ ଆସୁଛି । ଗୀତରେ ଅଭିନେତ୍ରୀ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ବିବାଦ ଦେଖା ଦେଇଥିଲାବେଳେ ଗୀତଟି କପି ହୋଇଛି ବୋଲି ଅନେକଙ୍କର ମତ ଆସୁଛି ।

କେହି କେହି କହୁଛନ୍ତି ଗୀତଟି ହିନ୍ଦି ଗୀତ ‘କୋଇ ଫରିୟାଦ’ରୁ କପି ହୋଇଛି ତ, ଆଉ କିଏ କହୁଛନ୍ତି ଗୀତଟି ହ୍ରିତିକଙ୍କ ଗୀତ ‘ଘୁଙ୍ଗୁରୁ’ ଭଳି ଲାଗୁଛି । କରୋନା ପରେ ବଲିଉଡର ଗୋଟେ ପରେ ଗୋଟେ ଫିଲ୍ମ ବିବାଦ ଘେରକୁ ଆସୁଥିଲାବେଳେ ଏହାକୁ ନେଇ ବି ଉଠିଛି ବୟକଟର ନାରା ।

ଏବେ ଏହି ଫିଲ୍ମକୁ ନେଇ ପାକିସ୍ତାନୀ ଅଭିନେତା ଆପତ୍ତି ଉଠାଇଛନ୍ତି । ଦୀପିକାଙ୍କ ବିକିନି ଉପରେ ଅଭିନେତା ଓମାନ ଖଲିଦଙ୍କର କିଛି ଆପତ୍ତି ନାହିଁ । କିନ୍ତୁ ଗୀତଟି ତାଙ୍କୁ ପସନ୍ଦ ଆସିନି । ସେ କହିଛନ୍ତି ଯେ, ମୁଁ ଗୀତ ଦେଖିଲା ପରେ ଭାବିଲି ଜଗଜିତ ସିଂହଙ୍କ ଗୀତ ‘କୋଇ ଫରିୟାଦ’ ସହ ଇଏ କ’ଣ ହୋଇଛି । ସେ ଏହି ଗୀତକୁ କପି ବୋଲି କହିଛନ୍ତି । ‘ମକେବା’ ନାମକ ଗୀତ ଏବଂ ‘କୋଇ ଫରିୟାଦ’କୁ ମିଶାଇ ‘ବେଶରମ ରଙ୍ଗ’ ତିଆରି ହୋଇଛି ବୋଲି କହିଛନ୍ତି ।

ବଲିଉଡ ଗୀତକୁ ନେଇ ପାକିସ୍ତାନୀ ଅଭିନେତା ଆପତ୍ତି ଉଠାଇବା ଏହା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ମଲାଇଲା ଅରୋରାଙ୍କ ଏକ ଗୀତକୁ ନେଇ ଅଦାନନ ସିଦ୍ଦିକି ମଧ୍ୟ ଆପତ୍ତି ଉଠାଇଥିଲେ ।