ପାକିସ୍ତାନ ଭାରତଠାରୁ କୋଭିଡ୍ ଟିକା ପାଇବ କି ?

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ପାକିସ୍ତାନ କରୋନା ଟିକାକରଣ ଆରମ୍ଭ କରିବାକୁ ଚିନ୍ତା କରୁଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପାକିସ୍ତାନ ଚୀନ ନିର୍ମିତ ଟିକା ଦେବାକୁ ଯାଉଛି । ଅନ୍ୟପକ୍ଷରେ ପଡୋଷୀ ଭାରତ ଜାନୁଆରୀ ମଧ୍ୟଭାଗରୁ ଟିକା କୂଟନୀତି ଆରମ୍ଭ କରିସାରିଲାଣି । ପଡୋଷୀ ପ୍ରଥମ ନୀତି କ୍ରମରେ ଭାରତ ନିଜ ପଡୋଷୀ ଦେଶଙ୍କୁ ଟିକା ଦେବା ଆରମ୍ଭ କରିଛି । ନେପାଳ,ମିଆଁମାର,ବାଂଲାଦେଶ,ମାଳଦ୍ୱିପ ଓ ଶ୍ରୀଲଙ୍କାକୁ ଟିକା ଯୋଗାଇଛି ଭାରତ ।
ଏହି ଦେଶଙ୍କୁ ବର୍ତ୍ତମାନ ଭାରତ ମାଗଣା ଟିକା ଦେଇଛି । ତେବେ ତାଲିକାରେ ପାକିସ୍ତାନ ନାମ ନାହିଁ । ବିଶ୍ୱରେ ପ୍ରସ୍ତୁତ ହେଉଥିବା ଟିକାର ୬୦ ପ୍ରତିଶତ ଭାରତରେ ତିଆରି ହୋଇଥାଏ । ଏମିତିରେ ଭାରତ ପାକିସ୍ତାନକୁ ଟିକା ଦେବ କି ନାହିଁ ତାହା ଏବେ ଇସଲାମାବାଦ ପାଇଁ ପ୍ରଶ୍ନ ହୋଇ ଠିଆ ହୋଇଛି ।
ପାକିସ୍ତାନ ନିଜ ଜନସଂଖ୍ୟାର ୭୦ ପ୍ରତିଶତଙ୍କୁ ଟିକା ଦେବାକୁ ନିଷ୍ପତି ନେଇଥିବା କୁହାଯାଉଛି । ସରକାର ମାଗଣାରେ ଲୋକଙ୍କୁ କରୋନା ଟିକା ଦେବେ । ପାକିସ୍ତାନରେ ଆଷ୍ଟ୍ରାଜେନକା ଓ ଚୀନ୍ ଟିକା ସିନୋଫାମକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମଧ୍ୟ ମିଳି ସାରିଛି । ତେବେ ପାକିସ୍ତାନରେ ଚୀନ ଟିକାକୁ ଅବିଶ୍ୱାସ ନଜରରେ ଦେଖା ଯାଉଛି । ଚୀନ ୫ ଲକ୍ଷ ଟିକା ମାଗଣାରେ ଦେବାକୁ ପାକିସ୍ତାନକୁ ପ୍ରତିଶ୍ରୁତି ଦେଇଛି । ପ୍ରଥମ ବ୍ୟାଚ୍ ଆସନ୍ତା ସପ୍ତାହରେ ପାକିସ୍ତାନରେ ପହଂଚିବ । ତେବେ ପାକିସ୍ତାନ ପାଇଁ ସମସ୍ୟା ହେଉଛି ଏହା ଆହୁରି ଅଧିକ ଟିକା ଆବଶ୍ୟକ କରୁଛି ।
ପାକିସ୍ତାନ ପାଇଁ ଭାରତରୁ ଟିକା ନେବା ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭଜନକ ରହିବ । ଏମିତିରେ ପାକିସ୍ତାନରେ ବ୍ୟବହୃତ ହେଉଥିବା ଔଷଧର ୭୦ ପ୍ରତିଶତ ଭାରତରୁ ଯାଇଥାଏ । ସେହିଭଳି ପାକିସ୍ତାନ ଭାରତଠାରୁ ୯୦ ପ୍ରତିଶତ ଟିକା କିଣିଥାଏ । ଭାରତ ସହିତ ସମ୍ପର୍କ ଖରାପ ହେବା ସତ୍ୱେ ଭାରତରୁ ଏବେ ମଧ୍ୟ ପାକିସ୍ତାନ ଔଷଧ ନେଉଛି । କାରଣ ପାକିସ୍ତାନୀଙ୍କ ନଜରରେ ଭାରତୀୟ ଔଷଧ ବିଶ୍ୱସ୍ତରୀୟ ଓ ବିଶ୍ୱସନୀୟ । ସାଧାରଣ ପାକିସ୍ତାନୀ ନାଗରିକ ଚୀନ ଔଷଧକୁ ଭରସା କରିନଥାନ୍ତି ।
ଏସବୁ ଭିତରେ ପାକିସ୍ତାନ ଆଶା କରୁଛି ଯେ,ଭାରତ ତାକୁ ଟିକା ଦେବ । ତେବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଟିକା ପାଇଁ ପାକିସ୍ତାନ ପଟୁ କୌଣସି ଆଧିକାରୀକ ଅନୁରୋଧ ଆସିନାହିଁ । ତେବେ ସଂଖ୍ୟାଧିକ ପାକିସ୍ତାନୀଙ୍କ କହିବା ହେଉଛି ଭାରତରୁ ଟିକା ନଆଣିବା ପାକିସ୍ତାନ ପାଇଁ ମହଙ୍ଗା ପଡିବ ।
ଭାରତରେ ଦୁଇଟି ଟିକାକୁ ଅନୁମତି ମିଳି ସାରିଛି । ଏହି ଦୁଇ ଟିକାକୁ ଯଦି ପାକିସ୍ତାନ କୌଣସି ତୃତୀୟ ଦେଶଠାରୁ କିଣେ ତାକୁ ଅଧିକ ମୂଲ୍ୟ ଦେବାକୁ ପଡିବ । ପାକିସ୍ତାନର ଅର୍ଥନୈତିକ ସ୍ଥିତି ଏବେ ଯାହା,ତୃତୀୟ ଦେଶରୁ ଟିକା ଆଣିବା ଦ୍ୱାରା ଅଧିକ ବୋଝ ବଢିବ ।
ତେବେ ଏସବୁ ଭିତରେ ମିଲିୟନ ଡଲାରର ପ୍ରଶ୍ନ ହେଉଛି ପାକିସ୍ତାନ ଭାରତଠାରୁ କୋଭିଡ୍ ଟିକା ପାଇବ କି ? ଯାହାର ଉତ୍ତର ଭବିଷ୍ୟତରେ ଜଣା ପଡିବ ।

Leave a Reply