ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍?

1 min read

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ଆଉ ମାତ୍ର ଦିନ କେଇଟା ବାକିଥିବାବେଳେ ଭାଗ ନେବାକୁ ଥିବା ଟିମମାନଙ୍କୁ ଭିସା ମିଳିଥିବାବେଳେ ଅଭ୍ୟାସ ପାଇଁ ପ୍ରସ୍ତୁତ ଦଳ । କିନ୍ତୁ ଏଯାବତ ପାକିସ୍ତାନ କ୍ରିକେଟ ଟିମକୁ ଭିସା ମିଳିନାହିଁ । ଅକ୍ଟୋବର ୫ ତାରିଖରୁ ଭାରତରେ କ୍ରିକେଟ ମହାକୁମ୍ଭ ଅନୁଷ୍ଠିତ ହେଉଥିବାବେଳେ ସେପ୍ଟମ୍ବର ୨୯ରୁ ଅଭ୍ୟାସ ମ୍ୟାଚ ଖେଳାଯିବ । ଭାରତ ଅଭିମୁଖେ ଟିମମାନେ ରହିଛନ୍ତି ।

ପାକିସ୍ତାନ କ୍ରିକେଟ ଟିମ ପକ୍ଷରୁ ଯୋଜନା କରାଯାଇଥିଲା କି, ପ୍ରଥମେ ସେମାନେ ଦୁବାଇ ଯାଇ ସେଠାରେ ଏକ କ୍ୟାମ୍ପ କରିବେ । ଅଭ୍ୟାସ ପରେ ଭାରତ ଆସିବା ନେଇ ପାକିସ୍ତାନ ପକ୍ଷରୁ ଯୋଜନା କରାଯାଇଥିବାବେଳେ ଭିସା ନମିଳିବାରୁ ବଡ଼ ଝଟକା ଲାଗିଛି । ସପ୍ତାହେ ପୂର୍ବରୁ ପାକିସ୍ତାନ ଟିମ ପକ୍ଷରୁ ଭିସା ଆବେଦନ କରାଯାଇଥିବାବେଳେ ଏଯାବତ ଭାରତ ସରକାରଙ୍କ ପକ୍ଷରୁ ମଞ୍ଜୁର କରାଯାଇନାହିଁ ।

ପାକିସ୍ତାନ ଟିମର ଭିସା ଅନୁମୋଦନ ନହୋଇଥିବାରୁ ଟିମ ଏବେ ଲାହୋରରେ ରହିଥିବାବେଳେ ୨୭ ସେପ୍ଟେମ୍ବରରେ ଦୁବାଇ ଅଭିମୁଖେ ଯାତ୍ରା କରିବେ । ତେବେ ପାକିସ୍ତାନ ଟିମ ପକ୍ଷରୁ ଆଶା ରଖାଯାଇଛି କି ନିର୍ଦ୍ଧାରିତ ସମୟ ପୂର୍ବରୁ ଦଳ ଭିସା ପାଇବ । ୨୦୧୬ ମସିହାରେ ପାକିସ୍ତାନ ଟି-୨୦ ବିଶ୍ବକପ ଖେଳିବା ପାଇଁ ଭାରତ ଆସିଥିଲା । ସେପଟେ ୨୦୧୨-୧୩ ମସିହାରେ ଦ୍ବିପାକ୍ଷିକ ସିରିଜ ପାଇଁ ଭାରତ ଆସିଥିଲା ପାକିସ୍ତାନ ଟିମ । ଏହାପରଠାରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସିରିଜ ଖେଳାଯାଇନାହିଁ । କେବଳ ଆଇସିସିର ଇଭେଣ୍ଟରେ ଉଭୟ ଦଳ ଭେଟାଭେଟି ହୋଇଛନ୍ତି । ଆଇସିସି ଇଭେଣ୍ଟରେ ଭାରତର ପ୍ରଦର୍ଶନ ପାକିସ୍ତାନ ବିପକ୍ଷରେ ଭଲ ରହିଛି ।