ପାକିସ୍ତାନର ବିଚିତ୍ର ପଦକ୍ଷେପ, ୟୁକ୍ରେନକୁ ଯୋଗାଇବ ୨୩୦ଟି ସାମରିକ ସାମଗ୍ରୀ କଣ୍ଟେନର

1 min read

ଇସଲାମାବାଦ: ଖାଦ୍ୟ ଓ ଆର୍ଥିକ ସଂକଟରେ ଛଟପଟ ହେଉଥିବା ପାକିସ୍ତାନର ବିଚିତ୍ର ପଦକ୍ଷେପ । ଯୁଦ୍ଧବିଧ୍ବସ୍ତ ୟୁକ୍ରେନକୁ ୨୩୦ଟି ସାମରିକ ସାମଗ୍ରୀ କଣ୍ଟେନର ଯୋଗାଇବାକୁ ଘୋଷଣା କରିଛି । ନିଜ ଦେଶର ବିଭିନ୍ନ ବିମାନ ଇଞ୍ଜିନର ଆଧୁନିକୀକରଣ ଲାଗି ଋଷ ନିକଟରେ ପାକିସ୍ତାନ ଅନୁରୋଧ କରିଆସୁଥିବାବେଳେ ୟୁକ୍ରେନକୁ ଏହି ଯୁଦ୍ଧାସ୍ତ୍ର ଯୋଗାଣ ନେଇ ଘୋଷଣା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଚଳିତ ମାସରେ କରାଚୀ ବନ୍ଦରରୁ ଏହି ସରଞ୍ଜାମ ୟୁକ୍ରେନ ଉଦ୍ଦେଶ୍ୟରେ ପଠାଯିବ । ଏମଭି ବୋକ୍ରାମ ଓ ଏମଭି ଖେର୍ସନ ଜରିଆରେ ଏହି ଯୁଦ୍ଧାସ୍ତ୍ର ପଠାଯିବ ବୋଲି ସୂଚନା ମିଳିଛି । ଏହି ଦୁଇଟି ଜାହାଜରେ ଆମେରିକା ଓ ୟୁରୋପୀୟ ପତାକା ଲଗାଯିବ । ପୋଲାଣ୍ଡ ଓ ଜର୍ମାନୀର ବିଭିନ୍ନ ବନ୍ଦର ଦେଇ ଏହି ଯୁଦ୍ଧାସ୍ତ୍ର ୟୁକ୍ରେନ ପଠାଯିବ ।

ୟୁକ୍ରେନ ବୈଦେଶିକ ଉପମନ୍ତ୍ରୀ ଏମିନ ଜାପାରୋଭାଙ୍କ ଭାରତ ଗସ୍ତ ପରେ ପରେ କିଭକୁ ଅସ୍ତ୍ର ଯୋଗାଣ ନେଇ ଘୋଷଣା କରିଛି ପାକିସ୍ତାନ । ଗତ ଜାନୁଆରୀରେ ବି ୟୁକ୍ରେନକୁ ୧୫୫ ମିମି ଆର୍ଟିଲେରି ଶେଲ, M4A2 ପ୍ରପେଲିଂ ବ୍ୟାଗଚାର୍ଜ, M82 ପ୍ରାଇମର ଓ ପିଡିଏମ ଫ୍ୟୁଜ ପଠାଇଥିଲା ବୋଲି ସୂଚନା ମିଳିଛି ।