ଭାରତର ପ୍ରତିଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ନିଜ ଲୋକଙ୍କୁ ଢାଲ କଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ନିଜ ଲୋକଙ୍କୁ ଢାଲ କରିଛି ପାକିସ୍ତାନ। ଭାରତର ପ୍ରତିଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ପାକିସ୍ତାନ ଆକାଶରେ ଉଡାଯାଉଥିଲା ଯାତ୍ରୀବାହୀ ବିମାନ। ମେ ୮ ଓ ୯ ତାରିଖ ରାତିରେ ଭାରତ ବିରୋଧରେ ପାକିସ୍ତାନ ବ୍ୟବହାର କରିଥିଲା ତୁର୍କୀ ନିର୍ମିତ ଡ୍ରୋନ। ଡ୍ରୋନ ଦ୍ବାରା ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା। ଭାରତର ସାମରିକ ସ୍ଥାନ ଉପରେ ଉପରେ ହୋଇଥିବା ଡ୍ରୋନ ଆକ୍ରମଣକୁ ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ନଷ୍ଟ କରାଯାଇଥିଲା। ଗୋଟେପଟେ ଭାରତ ଉପରେ ଆକ୍ରମଣ, ସେପଟେ ସନ୍ତ୍ରାସବାଦୀଙ୍କୁ ଅନୁପ୍ରବେଶ କରିବାକୁ ପାକ ସେନା ପକ୍ଷରୁ ଏଲଓସିରେ କରାଯାଇଥିଲା ଗୁଳି ବର୍ଷା। ସାଧାରଣ ଲୋକଙ୍କୁ ଲକ୍ଷ୍ୟ କରି ଗୁଳି ଓ ମିଜାଇଲ ଆଟାକ କରୁଥିଲା ପାକିସ୍ତାନ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ସୂଚନା ଦିଆଯାଇଛି। ପାକିସ୍ତାନୀ ଡ୍ରୋନ ଭଗ୍ନାବଶେଷର ଫରେନସିକ୍ ଯାଞ୍ଚ ଚାଲିଛି ।
ମଧ୍ୟରାତ୍ରିରେ ଭାରତୀୟ ବାୟୁସୀମା ଅତିକ୍ରମ କରିଥିଲା ପାକିସ୍ତାନ । ଭାରତୀୟ ମିଲିଟାରୀ ଷ୍ଟେସନକୁ କରିଥିଲା ଟାର୍ଗେଟ। ଭଟିଣ୍ଡା, ଆଖନୌର, ପୁଞ୍ଛ, ଉରୀ ସେନା କ୍ୟାମ୍ପକୁ ଟାର୍ଗେଟ କରି ଛାଡ଼ିଥିଲା ଡ୍ରୋନ । ତେବେ ଏହି ଡ୍ରୋନକୁ ନଷ୍ଟ କରିବାରେ ଭାରତ ସଫଳ ହୋଇଛି ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ। ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ପଣ୍ଡ କରାଯାଇଥିଲା। ଭାରତର ପାଲଟା ଜବାବରେ ପାକିସ୍ତାନର ବ୍ୟାପକ କ୍ଷତି ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ କରି ୩୦୦ରୁ ୪୦୦ ଡ୍ରୋନ ଛାଡିଥିଲା ପାକିସ୍ତାନ। ଭାରତର ପ୍ରତିଜବାବରେ ପାକିସ୍ତାନର ଗୋଟିଏ ଏୟାର ଡିଫେନ୍ସ ରାଡାର ନଷ୍ଟ ହୋଇଛି। ପାକିସ୍ତାନ ଗୁଳିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ୍ ଟାର୍ଗେଟରେ ଥିଲା ଭାରତୀୟ ସେନା ପ୍ରତିଷ୍ଠାନ। ପାକିସ୍ତାନ ଜାଣିଶୁଣି ଧାର୍ମିକ ଅନୁଷ୍ଠାନଗୁଡିକୁ ଟାର୍ଗେଟ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।