ଜେନେରାଲ ରାଓ୍ୱତଙ୍କ ଦୁଇ ବଡ଼ ଅପରେସନ୍‌, ଭାରତୀୟ ସେନାକୁ କରିଥିଲେ ଅଧିକ ଆକ୍ରମଣାତ୍ମକ

ନୂଆଦିଲ୍ଲୀ: ଜେନେରାଲ ବିପିନ ରାଓ୍ୱତ । ଶତ୍ରୁ ଶିବିରରେ ଛନକା ସୃଷ୍ଟି ପାଇଁ ଏହି ନାଁ ହିଁ ଯଥେଷ୍ଟ ଥିଲା । ଶତ୍ରୁର ଘରେ ପଶି ମାତ୍ ଦେଇପାରୁଥିବା ଦୁର୍ଦ୍ଦଶ ଯୋଦ୍ଧା ବିପିନ ରାଓ୍ୱତ । ପ୍ରତିକୂଳ ପରିସ୍ଥିତିରେ ଚ୍ୟାଲେଞ୍ଜକୁ ଯିଏ ଚିୟରଅଫ୍ କରୁଥିଲେ । ଦେଶ ଉପରକୁ ରିକ୍ସ ଆସିଲେ ଯିଏ ତତକ୍ଷଣାତ୍ ଦେଖାଉଥିଲେ ରିଆକ୍ସନ । ସେହି ସାହାସୀ ସୈନିକ ହେଉଛନ୍ତି ବିପିନ ରାଓ୍ୱତ । କିନ୍ତୁ ବିରଙ୍ଗନା ଭାରତ ମାଆର ସେହି ବୀର ସନ୍ତାନ ଏବେ ଅଫେରା ଦୁନିଆରେ । ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବିପିନ ରାଓ୍ୱତ ।


କଠିନ ପରିସ୍ଥିତିରେ କଡ଼ା ଯବାବ୍ ଦେଉଥିବା ସାହସୀ ସୈନିକ ବିପିନ ରାଓ୍ୱତ ସାରା ଦେଶକୁ କନ୍ଦାଇଦେଇ ଚାଲିଯାଇଛନ୍ତି । ଶତୃର ନିଦ ହଜାଇଥିବା ବୀର ଯବାନ ଆଜି କଫିନ ଭିତରେ ଚୀର ନିଦ୍ରାରେ ଶୋଇଯାଇଛନ୍ତି । ୨୦୧୫ ମିଆଁମାରରେ ଆତଙ୍କବାଦୀଙ୍କ ବିରୋଧରେ ଆକ୍ରମଣ ହେଉ କି ୨୦୧୬ର ସର୍ଜିକାଲ୍ ଷ୍ଟ୍ରାଇକ୍ । ସବୁଠି ବିପିନଙ୍କର ସ୍ୱତନ୍ତ୍ର ରଣନୀତିରେ ସେନା ପାଇଥିଲା ଉଲ୍ଲେଖନୀୟ ସଫଳତା । ୪ ଦଶନ୍ଧି ଧରି ବିପିନ ରାଓ୍ୱତ ଭାରତୀୟ ସେନାକୁ ଶକ୍ତିଶାଳୀ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ ।


ନର୍ଥ ଇଷ୍ଟରେ ଉଗ୍ରବାଦୀଙ୍କୁ ଦମନ କରିବା ପାଇଁ ବଡ଼ ଭୂମିକା ତୁଲାଇଥିଲେ ବିପିନ ରାଓ୍ୱତ । ଭାରତୀୟ ସେନାର ଷଷ୍ଠ ଡେଗ୍ରା ରେଜିମେଣ୍ଟର କନଓ୍ୱେ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବାପାଇଁ ଭାରତ କରିଥିଲା ବଡ଼ ଆକ୍ରମଣର ଯୋଜନା । ଯାହାର ନେତୃତ୍ୱ ନେଇଥିଲେ ବିପିନ ରାଓ୍ୱତ । ୯ ଜୁନ୍ ୨୦୧୫ରେ ଭାରତ ମିଆଁମାର ସୀମାରେ ପ୍ରବେଶ କରି ନ୍ୟାସନାଲ ସ୍ପୋଶାଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡର ଉଗ୍ରବାଦୀଙ୍କ ବିରୋଧରେ ଏକ ଅପରେଶନ କରିଥିଲା ଭାରତୀୟ ଆର୍ମି । ଭାରତୀୟ ସେନା ଅର୍ନ୍ତରାଷ୍ଟ୍ରୀୟ ସୀମା ପାର କରି ଉଗ୍ରବାଦୀଙ୍କ ଶିବିରରେ କରିଥିଲା ଆକ୍ରମଣ । ଯେଉଁଥିରେ ନ୍ୟାସନାଲ ସ୍ପୋଶାଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡର ୩୮ ଜଣ ଉଗ୍ରବାଦୀ ପ୍ରାଣ ହରାଇଥିଲେ । ଏହି ଅପରେଶନ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଯାହାର ନେତୃତ୍ୱ ନେଉଥିଲେ ବିପିନ ରାଓ୍ୱତ ।


ସେହିପରି ୨୦୧୬ରେ ପିଓକୋରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ବିପିନ ରାଓ୍ୱତ । ୧୮ ସେପ୍ଟେମ୍ବର ୨୦୧୬ ଉରୀରେ ଥିବା ଭାରତୀୟ ସେନା ବେସ୍ ଉପରେ ହୋଇଥିଲା ବଡ଼ ଧରଣର ଆତଙ୍କବାଦ ଆକ୍ରମଣ । ଯେଉଁଥିରେ ୧୯ ଜଣ ଭାରତୀୟ ସେନା ସହିଦ ହୋଇଥିଲେ । ଯାହାପରେ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲା ଭାରତୀୟ ସେନା । ଏହି ଆକ୍ରମଣର ପ୍ରତିଶୋଧରେ ଭାରତ ପିଓକେରେ ପ୍ରବେଶ କରି କରିଥିଲା ସର୍ଜିକାଲ ଷ୍ଟ୍ରାଇକ । ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଛି ବୋଲି ୨୯ ସେପ୍ଟେମ୍ବରରେ ଭାରତୀୟ ସେନା ଘୋଷଣା କରିଥିଲା । ପିଓକରେ ଏହି ଆକ୍ରମଣ ପରେ ବିପିନ୍ ରଓ୍ୱତ ଗଣମାଧ୍ୟମକୁ ସାମ୍ନାକୁ ଆସି କହିଥିଲେ କି ଏହା ପାକିସ୍ତାନ ପାଇଁ ଏକ ବାର୍ତ୍ତା । ଆଗକୁ ଏମିତି ଅପରେସନ ଜାରି ରହିବ ।


ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ବିପିନ । ସୀମା ସୁରକ୍ଷାଠାରୁ ଆରମ୍ଭ କରି ଭାରତୀୟ ସେନାକୁ ଆକ୍ରମଣାତ୍ମକ କରିବା କ୍ଷେତ୍ରରେ ଭାରତ ପାଇଁ ବଡ଼ ଭୂମିକା ତୁଲାଇଥିଲେ ବିପିନ୍ ରାଓ୍ୱତ । ବୁଧବାର ଏକ ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ୱତଙ୍କ ଦେହାନ୍ତ ଭାରତ ପାଇଁ ଏକ ଅପୂରଣୀୟ କ୍ଷତି ।

Leave a Reply