ଦୀପାବଳିରେ ହୋଲି ଶୁଭେଛା ଦେଲେ ପାକିସ୍ତାନ ସିନ୍ଧ ମୁଖ୍ୟମନ୍ତ୍ରୀ

1 min read

କରାଚୀ: ଖବର ଦୁଇ ଦିନ ପୁରୁଣା କିନ୍ତୁ ଏହି ଖବରରୁ ଜଣା ପଡୁଛି ଯେ, ସଂଖ୍ୟାଲଘୁଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ କେତେ ଗୁରୁତ୍ୱ ଦିଆଯାଏ । ସୁରକ୍ଷା କଥା ଛାଡନ୍ତୁ ସେଠାକାର ସରକାର ନିଜ ନାଗରିକଙ୍କ ଧର୍ମର ମୁଖ୍ୟ ପର୍ବ ବାବଦରେ କିଛି ମଧ୍ୟ ଜାଣନ୍ତି ନାହିଁ । ଯାହାର ଉଦାହରଣ ଦୀପାବଳି ଦିନ ଦେଖିବାକୁ ମିଳିଛି । ଦୀପାବଳିରେ ପାକିସ୍ତାନର ଗୋଟିଏ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ହିନ୍ଦୁଙ୍କୁ ଦୀପାବଳି ଦିନ ହୋଲିର ଶୁଭେଛା ଜଣାଇ ଟ୍ରୋଲ୍ ହୋଇଛନ୍ତି । କିନ୍ତୁ କଥା ଏତିକିରେ ସରିନାହିଁ, ଏହି ମୁଖ୍ୟମନ୍ତ୍ରୀ ଜଣକ କ୍ଷମା ନମାଗି ଟ୍ୱିଟ୍ ଡିଲିଟ୍ କରିଦେଇଛନ୍ତି.. ଆସନ୍ତୁ ଜାଣିବା କିଏ ସେହି ମୁଖ୍ୟମନ୍ତ୍ରୀ ଓ ପାକିସ୍ତାନର ହିନ୍ଦୁ କେମିତି ଅଛନ୍ତି ।

ଗତ ୪ ତାରିଖରେ ସାରା ବିଶ୍ୱରେ ହିନ୍ଦୁ ଧର୍ମର ଲୋକମାନେ ଦୀପାବଳି ଉତ୍ସବ ପାଳନ କରିଛନ୍ତି । ପାକିସ୍ତାନରେ ମଧ୍ୟ ହିନ୍ଦୁମାନେ ଦୀପାବଳି ପାଳନ କରିଛନ୍ତି। ତେବେ ଏହି ଅବସରରେ ପାକିସ୍ତାନର ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ସଂଖ୍ୟା ଲଘୁଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଦୀପାବଳିର ନୁହେଁ ସେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । କଥାଟି ଟିକେ ଅଡ଼ୁଆ ଲଗୁଥିବ।

ବାସ୍ତବରେ ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲୀ ଶାହଙ୍କ ଟ୍ୱିଟର ହାଣ୍ଡେଲରୁ ଏକ ପୋଷ୍ଟ ଶେଆର୍ ହୋଇଥିଲା, ଏଥିରେ ତାଙ୍କର ଗୋଟିଏ ଫଟୋ ରହିବା ସହ ‘ହ୍ୟାପି ହୋଲି’ ଲେଖାଯାଇଥିଲା। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଚି । ଅବଶ୍ୟ କିଛି ସମୟ ଭିତରେ ହିଁ ସେ ଏହାକୁ ଡିଲିଟ କରି ଦେଇଥିଲେ। ହେଲେ ସେତେବେଳକୁ ଅନେକ ଲୋକ ଏହାର ସ୍କ୍ରିନ ଶଟ୍‌ ନେଇ ସାରିଥିଲେ। ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା ହି କରାଯାଉଛି ।

ମୁରାଦଙ୍କ ପୋଷ୍ଟର ସ୍କ୍ରିନ ଶଟ୍‌କୁ ପାକିସ୍ତାନର ଜଣାଶୁଣା ସାମ୍ବାଦିକ ମୁର୍ତାଜା ସୋଲାଙ୍ଗି ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଶେଆର୍ କରିଛନ୍ତି । ଆଉ ଲେଖିଛନ୍ତି ଯେ ସିନ୍ଧରେ ପାକିସ୍ତାନର ସବୁଠାରୁ ଅଧିକ ସଂଖ୍ୟକ ହିନ୍ଦୁ ରୁହନ୍ତି। କିନ୍ତୁ ଦୁଃଖର ବିଷୟ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀମାନେ ଦୀପାବଳି ଓ ହୋଲି ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ନାହାନ୍ତି।

କେବଳ ଏତିକି ନୁହେଁ, ପୋଷ୍ଟଟି ଡିଲିଟ ହେବାପରେ ମୁର୍ତାଜା ଆଉ ଏକ ଟ୍ୱିଟ୍ କରି ଲେଖିଛନ୍ତି,  ‘କ୍ଷମାପ୍ରାର୍ଥନା କାହିଁ? କ୍ଷମା ମାଗି ନପାରି ଏହି ପୋଷ୍ଟକୁ ଡିଲିଟ କରାଯାଇଛି। ଏହା ଏକ ସାମାନ୍ୟ ତ୍ରୁଟି ନୁହେଁ ବରଂ ଏକ ବଡ଼ ଭୁଲ । ଭୁଲ ଜଣେ ବ୍ୟକ୍ତି ଦ୍ୱାରା କରାଯାଇଥାଏ ଏକ ସଂସ୍ଥା ଦ୍ୱାରା ନୁହେଁ । ‘

ଜଣାଇଦେବାକୁ ଚାହୁଁ ଯେ ପାକିସ୍ତାନର ସିନ୍ଧ ପ୍ରଦେଶରେ ସର୍ବାଧିକ ହିନ୍ଦୁ ବସବାସ କରନ୍ତି ଏବଂ ହିନ୍ଦୁ ଧର୍ମ ହେଉଛି ସିନ୍ଧର ଦ୍ୱିତୀୟ ବୃହତ୍ତମ ଧର୍ମ । ୨୦୧୭ ମସିହାରେ ହୋଇଥିବା ଜନଗଣନା ଅନୁଯାୟୀ, ସିନ୍ଧ ପ୍ରଦେଶରେ ୪୧ ଲକ୍ଷ ୮୦ଜଣ ହିନ୍ଦୁ ଲୋକ ବାସ କରନ୍ତି, ଯାହା ସେଠାରେ ସମୁଦାୟ ଜନସଂଖ୍ୟାର ୮.୭୩ ପ୍ରତିଶତ। ବିଶେଷ କରି ଉମରକୋଟ, ତରପରକର, ମିରପୁରଖାସ ଏବଂ ସନଘର ଜିଲ୍ଲାରେ ହିନ୍ଦୁ ଲୋକଙ୍କର ସଂଖ୍ୟା ଗରିଷ୍ଠତା ରହିଛି। ସିନ୍ଧ ପ୍ରଦେଶରେ ରାମପୀର ମନ୍ଦିର, ଉମାର୍କୋଟ ଶିବ ମନ୍ଦିର ଓ ବହୁତ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ବି ରହିଛି।

Leave a Reply