ପାକିସ୍ତାନରେ ମାତିଛନ୍ତି ମଶା, ଭାରତର ସାହାଯ୍ୟ ଲୋଡିଲା ପଡୋଶୀ ଦେଶ

1 min read

ଇସଲାମାବାଦ: ଡେଙ୍ଗୁ, ମ୍ୟାଲେରିଆ କବଳରେ ପାକିସ୍ତାନ । ବନ୍ୟା ବିତ୍ପାତ ପରେ ମାଡୁଛି ସଂକ୍ରମଣ ଜନିତ ରୋଗ । ୩୨ ଜିଲ୍ଲାରେ ପ୍ରାୟ ୨୭ଲକ୍ଷ ମାମଲା ସାମ୍ନାକୁ ଆସିବା ପରେ ଭାରତକୁ ସହାୟତା ମାଗିଛି ପଡୋଶୀ ରାଷ୍ଟ୍ର । ଭାରତରୁ ୬୦ ଲକ୍ଷ ମଶାରୀ କିଣିବା ପାଇଁ ଅନୁମତି ନେଇଛି ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗ୍ଲୋବାଲ ଫଣ୍ଡ ବ୍ୟବହାର କରି ଭାରତରୁ ମଶାରୀ କିଣିବ । ଓ୍ବାଘା ବର୍ଡର ଦେଇ ପାକିସ୍ତାନକୁ ଭାରତ ମଶାରୀ ପଠାଇବ । ଆସନ୍ତା ମାସ ସୁଦ୍ଧା ମଶାରୀ ପାକିସ୍ତାନରେ ପହଞ୍ଚିବ ବୋଲି WHO ପକ୍ଷରୁ କୁହାଯାଇଛି । ଜୁନରେ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ପ୍ରାୟ ୧୭ଶହ ଲୋକଙ୍କ ମୃତ୍ୟୁ ହାଇଥିଲା । ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ।

ଏହାପରେ ମ୍ୟାଲେରିଆ, ଡେଙ୍ଗୁ ଭଳି ଜଳବାହିତ ରୋଗ ମଧ୍ୟ ବଢ଼ିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲା WHO । ସିନ୍ଧ, ପଞ୍ଜାବ, ବାଲୁଚିସ୍ତାନ ସମେତ ୩୨ଟି ବନ୍ୟାଗ୍ରସ୍ତ ଜିଲ୍ଲାରେ ପ୍ରାୟ ୨୭ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି ।