ନିଜ ସାଂସଦଙ୍କୁ ଅଯୋଗ୍ୟ କରିବା ନେଇ ସୁପ୍ରିମକୋର୍ଟ ଗଲେ ଇମ୍ରାନ୍

1 min read

ନନ୍ଦିଘୋଷ ବ୍ୟୁରୋ: ଦିନ ଗଡୁଛି । ଛାତି ଧଡ଼ପଡ଼ । ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । କଣ ହେବ ପାକିସ୍ତାନରେ । କ୍ରିକେଟିୟର ଟର୍ନଡ ପ୍ରାଇମ ମିନିଷ୍ଟର ଇମରାନ ଖାନ ପ୍ରଧାନମନ୍ତ୍ରୀ ରହିବେ ନା ଅନାସ୍ଥାରେ ବିଦା ହେବେ ।   ଶୁକ୍ରବାର ଅନାସ୍ଥା ଭୋଟ ପୂର୍ବରୁ ଇମ୍ରାନ ଖେଳିଛନ୍ତି ମାଷ୍ଟରଷ୍ଟ୍ରାକ । ଗୃହ ଶତ୍ରୁ ବିଭୀଷଣମାନଙ୍କୁ ସାବାଡ଼ କରିବାକୁ ଯାଇଛନ୍ତି ସୁପ୍ରିମକୋର୍ଟ । ବିଦ୍ରୋହୀ ଏମପିଙ୍କୁ ଆଜୀବନ ଅଯୋଗ୍ୟ ଘୋଷଣା କରିବାକୁ ସରକାର ପିଟିସନ ଦାଏର କରିଛନ୍ତି ।  ପାକିସ୍ତାନର ଆଟର୍ଣ୍ଣି ଜେନେରାଲ ଜେନେରାଲ ଜାଭେଦ ଖାନ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ପାକିସ୍ତାନ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି  । ଯାହାକୁ ନେଇ ସୋମବାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାଖଲ କରାଯାଇଛି  । ଯେଉଁ ସାଂସଦ ଦଳ ବିରୋଧି କାର୍ଯ୍ୟ କରିବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବ  । କିନ୍ତୁ ସଂସଦରେ ଉକ୍ତ ସାଂସଦ ମାନେ ପ୍ରକାଶ କରିଥିବା ଭୋଟକୁ ବିଚାରକୁ ନିଆଯିବ କି ନାହିଁ ତାହା ବିଷୟରେ କୌଣସି ଉଲ୍ଲେଖ କରାଯାଇନାହିଁ ବୋଲି କହିଛନ୍ତି ଜାଭେଦ ଖାନ  ।

ତେହେରିକ ଇ-ଇନସାଫ ଅର୍ଥାତ ଇମ୍ରାନଙ୍କ ଦଳର ନେତା ଖୋଦ ହାଇକମାଣ୍ଡଙ୍କ ବିରୋଧରେ  । ବିପକ୍ଷ ଦଳ ସହ ସ୍ୱର ମିଳାଇଛନ୍ତି  ନିଜ ଦଳର ନେତା  । ଶୁକ୍ରବାର ପାକିସ୍ତାନ ସଂସଦରେ ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା  । ଅର୍ଥାତ ଅନାସ୍ଥା ପ୍ରସ୍ତାବ ମାର୍ଚ୍ଚ ୨୫ ତାରିଖରେ ଆସିବ  । ଏହା ପୂର୍ବରୁ ସୁପ୍ରିମକୋର୍ଟରେ ପହଁଚିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ  । ଇମ୍ରାନ ଖାନ ଏକ ଯାଚିକା ଦାୟର କରିଛନ୍ତି, ଏବଂ ଉକ୍ତ ଯାଚିକାରେ ଉଲ୍ଲେଖ କରିଛନ୍ତି କି, ତାଙ୍କ ଦଳର ଯେଉଁ ନେତା ଦଳବିରୋଧି କାର୍ଯ୍ୟ କରୁଛନ୍ତି ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯାଉଛନ୍ତି ତାଙ୍କୁ ଆଜୀବନ ଅଯୋଗ୍ୟ ଘୋଷଣା କରାଯାଉ  ।  ସେପଟେ ଗମ୍ଭୀର ଆର୍ଥିକ ସଂକଟରେ ଡୁବି ରହିଛି ପାକିସ୍ତାନ  ।  ଅନ୍ୟପଟେ ୟୁକ୍ରେନ୍ ସଂକଟକୁ ନେଇ ଆମେରିକା ଓ ୟୁରୋପୀୟ ସଂଘ ବିପକ୍ଷରେ ଇମ୍ରାନ ଦେଉଥିବା ମନ୍ତବ୍ୟକୁ ପାକିସ୍ତାନୀ ସେନା ହଜମ କରିପାରୁ ନାହିଁ ।  ପାକିସ୍ତାନୀ ସେନା ଦ୍ୱାରା ଆୟୋଜିତ ଓଆଇସି ସମ୍ମିଳନୀ ପରେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହାଯିବା ପରେ ବିରୋଧୀ ଶିବିରରେ ରାଜନୈତିକ ଗତିବିଧ ଜୋର୍ ହୋଇଛି । ବିରୋଧି ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାରାଛି  । ଏପଟେ  ସେନାର ଆଭିମୁଖ୍ୟ ପରେ ଇମ୍ରାନଙ୍କ ପାଇଁ ସଙ୍କଟ ସ୍ଥିତି ସୃଷ୍ଟି ହୋଇଥିଲା  ।

ଖୋଦ ଇମ୍ରାନଙ୍କ ପାର୍ଟିର ସାଂସଦ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବାହାରିଛନ୍ତି  । ଫଳରେ ଅନାସ୍ଥା ପ୍ରସ୍ତାବ ଆସିବା ପକ୍କା ହୋଇଛି  । ଅନ୍ୟପଟେ ନିର୍ଦଳୀୟ ୧୭ ସାଂସଦ ଇମ୍ରାନଙ୍କୁ ସମର୍ଥନ ବଦଳରେ ସର୍ତ୍ତ ବାଢିଛନ୍ତି  । ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କଲେ ସମର୍ଥନ କରିବେ ବୋଲି କହିଛନ୍ତି ନିର୍ଦଳୀୟ ସାସଂଦ  ।   ସେପଟେ ଆସନ୍ତା ୨୫ ତାରିଖ ଦିନ ପାକିସ୍ତାନ ସଂସଦରେ ଆସିବ ଇମ୍ରାନଙ୍କ ବିରୋଧରେ ଅନାସ୍ଥା  ପ୍ରସ୍ତାବ  । ଏହାରି ଭିତରେ ଏକଥା ମଧ୍ୟ ଇସଲାମାବାଦରେ ଆଲୋଚନା ହେଉଛି ସେନା ପ୍ରମୁଖ ବାଜୱାଙ୍କୁ ବିଦା କରିପାରନ୍ତି ଇମ୍ରାନ୍ ଖାନ । କାରଣ ୧୯୭୨ରେ ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ଜୁଲଫିକାର ଅଲି ଭୁଟ୍ଟୋ କାର୍ଯ୍ୟକାରୀ ସେନା ପ୍ରମୁଖ ଜେନେରାଲ୍ ଗୁଲ୍ ହସନ ଖାନ ଓ ବାୟୁ ସେନା ମୁଖ୍ୟ ଏୟାର ମାର୍ଶଲ ଅବଦୁଲ୍ ରହିମ ଖାନଙ୍କୁ ଚାକିରିରୁ ବିଦା କରିଥିଲେ ।